୧୪ ଦିନ ଯାଏ ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ ୧୯ ଯାଏ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ୧୪ ଦିନ ମଧ୍ୟରେ ଶନିବାର ଓ ରବିବାର ଦିନ ପୂର୍ବଭଳି ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ବଳବତ୍ତର ରହିବ। ସପ୍ତାହର ସବୁଦିନ ଟିକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ। ବସ୍‌ ଚଳାଚଳ ବନ୍ଦ ରହିବ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ। ରାସନ ଦୋକାନ, ଫଳ, ପନିପରିବା, ମାଛମାଂସ ଦୋକାନ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ରେଷ୍ଟୁରାଣ୍ଟ ଓ ଢ଼ାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପ୍‌କାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି। ଛାପା, ବୈଦୁତିକ ଗଣମାଧ୍ୟମ, ଓ୍ବେବ୍‌ ମିଡିଆକୁ ଅନୁମତି। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣକୁ ଅନୁମତି। ଗ୍ୟାରେଜ, ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

ସେହିଭଳି କେବଳ ଡାକ୍ତରଖାନା କାର୍ଯ୍ୟ ବ୍ୟତିତ ଅନ୍ୟ ସମସ୍ତ ଆତଯାତ ମନା। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା, ବ୍ୟବସାୟଭିତ୍ତିକ ମିଟିଂ ବନ୍ଦ ରହିବ। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ, ମଲ୍‌, ମାର୍କେଟ କମ୍ଲେକ୍ସ, ଜିମ୍‌ ବନ୍ଦ ରହିବ। ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସେଲୁନ୍‌, ପାର୍ଲର, ସ୍ପା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରିଡା, ରାଜନୈତିକ ସମାବେଶ ବନ୍ଦ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି ବିବାହ ଆୟୋଜନ କରିହେବ। ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ଜଣଙ୍କୁ ଅନୁମତି ରହିଛି। ସାପ୍ତାହିକ ଓ ଦୈନିକ ହାଟ ଚାଲି ପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ରବିବାର ଘୋଷଣା କରିଛନ୍ତି।

Share