ବ୍ରିଟେନ୍‌ ଫେରନ୍ତାଙ୍କୁ ୧୪ଦିନ ସଙ୍ଗରୋଧ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ) : ବ୍ରିଟେନରେ ଆତଙ୍କ ରଚିଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଯେପରି ଭାରତ ପ୍ରତି ବିପଦ ସୃଷ୍ଟି ନ କରିବ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡ଼ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ବିଶେଷକରି ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ଭୁବନେଶ୍ୱର ମହାନଗର ନିଗମ କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଝାରସୁଗୁଡ଼ା ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ବ୍ରିଟେନରୁ ଆସି ବିମାନ ବନ୍ଦରରେ ପହଞ୍ଚୁଥିବା ଯାତ୍ରୀଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଗତ ୧୪ଦିନ ଭିତରେ ଯେଉଁମାନେ ବ୍ରିଟେନ୍‌ରୁ ଓଡ଼ିଶା ଫେରିଛନ୍ତି କିମ୍ବା ବ୍ରିଟେନ ହୋଇ ଓଡ଼ିଶା ଆସିଛନ୍ତି, ସେମାନେ ନିଜ ସମ୍ପର୍କରେ ଏକ ଆତ୍ମଘୋଷଣା ପତ୍ର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ଏଥିସହ ୧୪ ଦିନିଆ ସଙ୍ଗରୋଧରେ ରହିବେ। ଗୃହ ସଙ୍ଗରୋଧରେ ଥିବା ସମୟରେ କରୋନା ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କର ଆର୍‌ଟିପିସିଆର ଟେଷ୍ଟ ହେବ। ପଜିଟିଭ ଚିହ୍ନଟ ହେଲେ ତାଙ୍କୁ ହସ୍ପିଟାଲ ସଙ୍ଗରୋଧରେ ରହି ଗାଇଡ଼ଲାଇନ ଅନୁସାରେ ଚିକିତ୍ସିତ ହେବାକୁ ପଡ଼ିବ। ବ୍ୟକ୍ତି ଜଣକ ଯଦି ନେଗେଟିଭ ଚିହ୍ନଟ ହୁଅନ୍ତି, ତେବେ ବି ୧୪ ଦିନ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ରହିବାକୁ ହେବ। ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମହାପାତ୍ର ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।
ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ କମିଛି। ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। କିନ୍ତୁ ବ୍ରିଟେନ୍‌ରେ ନୂଆ ଷ୍ଟ୍ରେନର କରୋନା ଭାଇରସ ପୂର୍ବାପେକ୍ଷା ୭୦ ପ୍ରତିଶତରୁ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ଏହାକୁ ଗୁରୁତ୍ୱ ନେଇ ଆଗୁଆ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ସୋମବାର ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳକୁ ବାତିଲ କରିଛନ୍ତି।

Share