Categories: ଜାତୀୟ

ଏଏପି ସରକାର ଗଠନ ପରେ ପଞ୍ଜାବରେ ୧୪ ଚାଷୀ କଲେଣି ଆତ୍ମହତ୍ୟା…

ଚଣ୍ଡିଗଡ଼, ୨୬।୪ : ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଗଠନ ପରେ କୃଷକ ଆତ୍ମହତ୍ୟା ଜାରି ରହିଛି। ୧ ଏପ୍ରିଲରୁ ୨୩ ଏପ୍ରିଲ୍‌ ମଧ୍ୟରେ ଫସଲହାନୀ ଯୋଗୁ ୧୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫଳରେ ଚାଷୀ ଆତ୍ମହତ୍ୟା ନେଇ ଏବେ ରାଜନୀତି ଆରମ୍ଭ ହୋଇଛି ବିରୋଧୀ ଦଳ ଏଏପି ସରକାର ଏବଂ ଦଳର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ଆତ୍ମହତ୍ୟା କରିଥିବା ଅଧିକାଂଶ କୃଷକଙ୍କର ଋଣ ବୋଝ ବୃଦ୍ଧି ଯୋଗୁ ସେମାନେ ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। କେଜ୍ରିୱାଲ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ଏଏପି ସରକାର ଗଠନ ପରେ କୌଣସି ଚାଷୀ ଆତ୍ମହତ୍ୟା କରିବେ ନାହିଁ। ରାଜ୍ୟ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା ଓ୍ବେଡିଂ ଅଭିଯୋଗ କରିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ ଏବଂ ରାଜ୍ୟର ଆମ ଆଦମୀ ପାର୍ଟିର ଅନ୍ୟ ନେତାମାନେ ଏହି ଗୁରୁତର ପ୍ରସଙ୍ଗରେ ନୀରବ ରହିଛନ୍ତି।

ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସୁଖଜିନ୍ଦର ରାନ୍ଧୱା କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କ ବଡ଼ ଭାଇ କେଜ୍ରିୱାଲଙ୍କୁ ଭେଟିଛନ୍ତି, ତେବେ କେନ୍ଦ୍ର ସରକାରଙ୍କ ନିକଟରେ କମ ଗହମ ଉତ୍ପାଦନ ପ୍ରସଙ୍ଗ ଉଠାନ୍ତୁ। ଏକର ପିଛା ୪ ରୁ ୮ କ୍ୱିଣ୍ଟାଲ ଗହମ କମ ଅମଳ ଯୋଗୁୁ ଚାଷୀମାନେ ବହୁତ ଚିନ୍ତିତ। ଚାଷୀମାନେ ଏକର ପିଛା ୧୫ ହଜାରରୁ ୨୦ ହଜାର ଟଙ୍କା କ୍ଷତି ହେବାର ଭୟ କରୁଛନ୍ତି । ଯେଉଁ ଚାଷୀମାନେ ପୂର୍ବର ୁଋଣଗ୍ରସ୍ତ ଅଛନ୍ତି ସେମାନେ ଅଧିକ ଅସୁବିଧାରେ ଅଛନ୍ତି ।

ଗତ ବର୍ଷ ଗୋଲାପୀ ପୋକ କପା ଫସଲକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇ ଚାଷୀଙ୍କୁ ଆର୍ଥିକ ଅସୁବିଧାରେ ପକାଇ ଥିଲେ। କପା ଫସଲରେ ବହୁ କ୍ଷତି ହେବା ପରେ ଚାଷୀମାନେ ଗହମ ଫସଲ ଉପରେ ଆଶା କରୁଥିଲେ।

ଯଦିଓ ଗହମର କମ ଅମଳ ପାଇଁ କୃଷି ବିଭାଗ ପାଣିପାଗକୁ ଦାୟୀ କରୁଛି, ତେବେ ଭାରତ କିଷାନ ସଂଗଠନର ସାଧାରଣ ସମ୍ପାଦକ ସରପ ସିଂ ସିଦ୍ଧୁ କହିଛନ୍ତି ଯେ ଗହମ ଚାଷ ଋତୁରେ ଚାଷୀମାନେ ସେହି ଡିଏପି ସାର ପାଇପାରି ନାହାନ୍ତି। ଏହାଦ୍ୱାରା ଅମଳରେ ସର୍ବାଧିକ ହ୍ରାସ ଘଟିଛି। ସେହିପରି ଚାଷୀଙ୍କୁ ୟୁରିଆ ଖତ ଯୋଗାଇ ଦିଆଯାଇ ନ ଥିଲା। ଏହି କାରଣରୁ ଗହମର କାଣ୍ଡ ମଧ୍ୟ ଦୁର୍ବଳ ହୋଇଯାଇଥିଲା।

ଏକର ପିଛା ଉତ୍ପାଦନ ହ୍ରାସ ପାଇଛି। ପଞ୍ଜାବ ସରକାର ଚାଷୀଙ୍କୁ ଏକର ପିଛା ୧୫ ହଜାର ଟଙ୍କା ଗହମ ପାଇଁ କ୍ଷତିପୂରଣ ଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ଅପରପକ୍ଷରେ କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୨୦୨୧ ରେ କିଷାନ ସମ୍ମିଳନୀ ସମୟରେ କେଜ୍ରିୱାଲ ପ୍ରତିଶୃତି ଦେଇଥିଲେ ଯେ ପଞ୍ଜାବରେ ଆମ ଆଦମୀ ପାର୍ଟି ଗଠନ ହେଲେ, ଏପ୍ରିଲ ୧ ରୁ କୌଣସି ଚାଷୀ ଆତ୍ମହତ୍ୟା କରିବେ ନାହିଁ।

Share