
ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ବିଶ୍ୱ ବିଦ୍ୟାଳୟ ଛକସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲାପାଳ ପାୱାର ସଚିନ ପ୍ରକାଶ ସଭାପତିତ୍ୱ କରି କହିଥିଲେ, ଜିଲାରେ ଏହି କାର୍ଯ୍ୟକ୍ରମ କିଭଳି ସଫଳ ଓ ସୂଚାରରୂପେ କରାଯିବ ସେ ଦିଗରେ ଜିଲା ପ୍ରଶାସନ ତତ୍ପର ଅଛି। ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ ତୁଲାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଜିଲା ମୁଖ୍ୟାଳୟକୁ ଛାଡି ୪୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କରାଯାଇଛି। ଜିଲା ମୁଖ୍ୟାଳୟରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୧୪ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ବର୍ତ୍ତମାନ ସୁଦ୍ଧା ଜିଲାରେ ୬ ଲକ୍ଷ ୭୪ହଜାର ୯୯୫ କାର୍ଡ ପହଞ୍ଚିଛି। ପର୍ଯ୍ୟାୟ କ୍ରମେ ବଳକା କାର୍ଡ ଉପଲବ୍ଧ ହେବ। ଜନସେବା କେନ୍ଦ୍ର ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ, ବହୁମୁଖୀ ଜନସ୍ବାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ଗ୍ରାମ ସ୍ତରରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। କଳାହାଣ୍ଡି ଜିଲାରେ ୧୦ଟି ଘରୋଇ ହସ୍ପିଟାଲ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ.ଜେ.ଏ.ୱାଇ.), ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ.)ରେ ଅନୁବନ୍ଧିତ ରହିଛନ୍ତି। ନୂଆ ଏକକ କାର୍ଡ ପାଇବା ପର୍ଯ୍ୟନ୍ତ ବର୍ତ୍ତମାନର ସମସ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀ ତାଲିକାଭୁକ୍ତ ହସ୍ପିଟାଲରେ ନିଜର ଆଧାରକାର୍ଡ ସହିତ ବର୍ତ୍ତମାନ ପାଖରେ ଥିବା ସ୍ବାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ। ଏହି ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲାରେ ୪୬ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ। ଏହାସହିତ ଲିଫ୍ଲେଟ, ପୋଷ୍ଟର, ବ୍ୟାନର ଲଗାଯିବ। କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଭବେଶ କୁମାର ପଣ୍ଡା, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଡ଼, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମିନତୀ ଲତା ଦାସଙ୍କ ସମେତ ସହରର ବୁଦ୍ଧିଜୀବୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ଯୋଜନାର ହିତାଧିକାରୀ ଉପସ୍ଥିତ ଥିଲେ। ଜ୍ଞାନେନ୍ଦ୍ର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।