Advertisement

ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଛି କଫି, ୧୪ ମେଟ୍ରିକ ଟନ୍‌ କଫି ମଞ୍ଜି ନିଆଗଲା କୋରାପୁଟ

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ପ୍ରତିବର୍ଷ ଭଳି ଏଥର ମଧ୍ୟ ଦାରିଙ୍ଗବାଡି କଫିକୁ ପ୍ରାଥମିକ ପ୍ରସ୍ତୁତି କରାଯାଇ ମଞ୍ଜି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ୧୪ ମେଟ୍ରିକ ଟନ୍‌ କଫି ମଞ୍ଜି ସଂଗ୍ରହ ଓ ପ୍ରସ୍ତୁତି କାର୍ଯ୍ୟ ପରେ ସୋମବାର କୋରାପୁଟକୁ ଆଗାମୀ ଶେଷ ପ୍ରସ୍ତୁତି ପାଇଁ ପଠାଯାଇଛି। ଏହାକୁ ଟିଡ଼ିସିସିର ବିଏମ ତଥା ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ରଙ୍କ ତତ୍ତ୍ୱାବଧାନରେ ଟ୍ରକ ଯୋଗେ ପଠାଯାଇଛି । ପ୍ରକାଶ ଯେ, ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ କଫି ସ୍ବତନ୍ତ୍ର ପରିଚୟ ଦେଇଛି । ତେବେ ଏହି କଫି ସଂଗ୍ରହରେ ପ୍ରଥମେ କିଛି ବର୍ଷ ଧରି ଘରୋଇ ଅନୁଷ୍ଠାନର ହାତକୁ ଟେକି ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିଲା । ପରବର୍ତ୍ତୀ ସମୟରେ ସରକାର ଟିଡିସିସିଓଏଲକୁ କଫି ସଂଗ୍ରହ ଓ ତା’ର ତଦାରଖ ପାଇଁ ପ୍ରଦାନ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଗୋଟିଏ ବର୍ଷ ଉକ୍ତ ଅନୁଷ୍ଠାନ କଫି ସଂଗ୍ରହ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଆଉ ଟିଡିସିସିଓଏଲ କଫି ସଂଗ୍ରହର ଦାୟିତ୍ୱରୁ ଓହରିଯାଇଥିଲା । ଫଳରେ ଗତ ବର୍ଷ ଲକ୍ଷାଧିକ ତାଙ୍କର କଫି ନଷ୍ଟ ହେବା ସହ ଚୋରାଚାଲାଣ ହୋଇଥିବା ଅଭିଯୋଗ ହୋଇଥିଲା। ଚଳିତ ବର୍ଷ ପୁଣି ଜିଲାପ୍ରଶାସନ ପକ୍ଷରୁ ବାଲିଗୁଡା ଆଇଟିଡିଏର ତତ୍ତ୍ୱାବଧାନରେ ଟିଡ଼ିସିସିକୁ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ବିଭାଗ ଚଳିତ ବର୍ଷ କଫି ସଂଗ୍ରହ କରିବା ସହ ପ୍ରାଥମିକ ପ୍ରସ୍ତୁତି କରି ମଞ୍ଜି ଅମଳ କରି କୋରାପୁଟ ପଠାଇଛି।

ସୂଚନାଯୋଗ୍ୟ , କୋରାପୁଟ କଫି ଭଳି ଦାରିଙ୍ଗବାଡି କଫିର କୌଣସି ନାମକରଣ ବା ବ୍ରାଣ୍ଡ ପ୍ରସ୍ତୁତି ହୋଇନଥିବା ବେଳେ ଚଳିତ ବର୍ଷ ଦାରିଙ୍ଗବାଡି କଫିକୁ କନ୍ଧମାଳ କଫି ଭାବେ ନାମକରଣ କରାଯିବା ସହ ଏହି ବ୍ରାଣ୍ଡରେ ବିକ୍ରି କରାଯାଇ ପରିଚୟର ଆଉ ଗୋଟିଏ ପାଦ ଆଗକୁ ବଢିବା ପାଇଁ ଜିଲା ପ୍ରଶାସନ ଏବଂ ବାଲିଗୁଡା ଆଇଟିଡିଏ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ଏବେ ସୁଦ୍ଧା ଦାରିଙ୍ଗବାଡି କଫିର ଦାରିଙ୍ଗବାଡି ଠାରେ ଇନଷ୍ଟାଣ୍ଟ (ତତକ୍ଷଣାତ )କଫି ହୋଇପାରିବା ଭଳି କୌଣସି ପ୍ରସ୍ତୁତି ବ୍ୟବସ୍ଥା ନଥିଲା। ତେଣୁ କୋରାପୁଟ ପ୍ରସ୍ତୁତି ପାଇଁ ପଠାଯାଇ ଇନଷ୍ଟାଣ୍ଟ କଫି ପ୍ରସ୍ତୁତି କରି କୋରାପୁଟ କଫି ନାମରେ ବିକ୍ରି କରାଯାଉଥିଲା। ଯାହାକି ଦାରିଙ୍ଗବାଡିର ଜୈବିକ କଫିକୁ କେହି ଜାଣିପାରୁନାହାନ୍ତି । ଏହାକୁ ସମସ୍ତେ ଜାଣିବା ଓ ଜୈବିକ ପଦ୍ଧତିରେ କରାଯାଉଥିବା ଏହି କଫିକୁ ନିଜର କନ୍ଧମାଳ କଫି ବ୍ରାଣ୍ଡରେ ବିକ୍ରି ପାଇଁ ଯୋଜନା କରାଯାଇଛି । ଯାହାକି କନ୍ଧମାଳରେ କଫି ଚାଷ କରିବାକୁ ଚାଷୀମାନେ ମଧ୍ୟ ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଉଛି। ଏବେ ଦାରିଙ୍ଗବାଡି ଭଳି ଜିଲାର ଅନ୍ୟ ବ୍ଲକ ଗୁଡିକରେ କଫି ଚାଷ କରାଯାଉଛି । ଯାହାକି ଆଗାମୀ ଦିନରେ ଦାରିଙ୍ଗବାଡି ଭଳି ଅନ୍ୟ ବ୍ଲକରେ ଏହି ଚାଷ ଅଧିକା ପରିମାଣରେ ଅମଳ ହେବା ସହ କୋରାପୁଟ ଭଳି କନ୍ଧମାଳ କଫିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଟିଡ଼ିସିସିର ଶାଖା ପରିଚାଳକ ତଥା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି । ଏଥିସହ ଦାରିଙ୍ଗବାଡି କଫି ବଗିଚାର ଉନ୍ନତିକରଣ କରାଯିବ ବୋଲି ସେ କହିଛନ୍ତି।

Share