ବରଗଡ଼ରୁ ୩ ହାଇଦ୍ରାବାଦ ଫେରନ୍ତାଙ୍କ ସମେତ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୫।୭: ବରଗଡ଼ ଜିଲାରୁ ଶନିବାର ପୁଣି ୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ଜଣ ବରଗଡ଼ ଜିଲାର ହୋଇଥିବାବେଳେ ଅନ୍ୟ ଜଣେ କଳାହାଣ୍ଡି ଜିଲା ଭବାନୀପାଟଣାର। ତେବେ ବରଗଡ଼ର ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି ଗ୍ରାମର ୧, ବରଗଡ଼ ପୌରପରିଷଦ ଅଧୀନ ୱାର୍ଡ ନଂ.-୧ରୁ ୨, ୱାର୍ଡ ନଂ. ୫ରୁ ୧, ୱାର୍ଡ ନଂ. ୧୨ରୁ ୨, ପଦ୍ମପୁର ଏନ୍‌ଏସିର ୧ (ହାଇଦ୍ରାବାଦ ଫେରନ୍ତା), ପଦ୍ମପୁର ବ୍ଲକ ସିଂହମପୁରର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪, ସୋହେଲା କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ର ୨ଜଣ(ହାଇଦ୍ରାବାଦ ଫେରନ୍ତା) ରହିଛନ୍ତି। ଭବାନୀପାଟଣାର ଆକ୍ରାନ୍ତ ଜଣକ ବରଗଡ଼ ବିକାଶ ଆଇସୋଲେଶନ ୱାର୍ଡରେ ଚିକିତ୍ସାଧୀନ ଥିଲେ। ଏବେ ତାଙ୍କୁ ଭୁବନେଶ୍ବର କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ୧୩ ଆକ୍ରାନ୍ତଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହା ସହିତ ଆକ୍ରାନ୍ତଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହିତ ଜରୁରି କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ଜିଲାପାଳ ପ୍ରଧାନ ପରାମର୍ଶ ଦେଇଛନ୍ତି।

Share