୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ ପ୍ରାଚୀର ନଷ୍ଟ ହୋଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗ୍ଲୋବାଲ କୋରାଲ ରିଫ୍‌ ମନିଟରିଂ ନେଟଓ୍ବାର୍କ (ଜିସିଆରାଏମ୍‌ଏନ୍‌) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।

୨୦୦୯ରୁ ୨୦୧୮ ମଧ୍ୟରେ ୧୧,୭୦୦ ବର୍ଗ କିଲୋମିଟରରେ ଥିବା ଶୈବାଳ ପ୍ରାଚୀର ନଷ୍ଟ ହୋଇଛି। ଏହାକୁ ନେଇ ୫୦୦ ନିୟୁତ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଶୈବାଳ ପ୍ରାଚୀର ଯୋଗୁ ପ୍ରତିବର୍ଷ ୨.୭ ଟ୍ରିଲିୟନ୍‌ ଡଲାର କାରବାର ହୋଇଥାଏ। ମାତ୍ର ଏବେ ଏହା ଆଉ ସମ୍ଭବ ହେବ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଗତ ୪୦ ବର୍ଷ ଧରି ୭୩ ଦେଶର ୧୨,୦୦୦ ସାମୁଦ୍ରିକ ଅଞ୍ଚଳରେ ଏନେଇ ଗବେଷଣା ଜାରି ରହିଛି। ଏଥିରେ ୩୦୦ ପରିବେଶବିତ୍‌ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି। ଦକ୍ଷିଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଅଞ୍ଚଳ, ପୂର୍ବ ଏସିଆ, ପଶ୍ଚିମ ଭାରତ ମହାସାଗର, ଗଲ୍ଫ ଏବଂ ଗଲ୍ଫ ଅଫ୍‌ ଓମାନ ଅଞ୍ଚଳରେ ଥିବା ଶୈବାଳ ପ୍ରାଚୀର ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କୋରାଲ ବ୍ଲିଚିଂ ଯୋଗୁ ଅଧିକ ସମସ୍ୟା ଉପୁଜୁଥିବା ରିପୋର୍ଟରେ କୁହାଯାଇଛି।

Share