ଦାରିଙ୍ଗବାଡ଼ି,୬ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। କରୋନା ଯୋଦ୍ଧାଙ୍କ ମଧ୍ୟରେ ଏକାଧିକ କନିଷ୍ଠଯନ୍ତ୍ରୀଙ୍କ ସମେତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କିରାଣି ଭଳି ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିମାନେ କରୋନା ମୁକାବିଲାରେ କାର୍ଯ୍ୟ କରି ସଂକ୍ରମିତ ହୋଇଛନ୍ତି। ପୂର୍ବରୁ କରୋନାରେ ବିଡିଓ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅଞ୍ଚଳବାସୀ ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବି.ଡକେବାଡ଼ିର ୨୮ବର୍ଷୀୟା ମହିଳା ରହିଥିବା ବେଳେ ନିଳକନ୍ଦର ସାହିର ୫୫ ବର୍ଷୀୟ ପୁରୁଷ ୩୮ ବର୍ଷୀୟା ମହିଳା ଏବଂ ଗ୍ରୀନବାଡ଼ିର ୬୫ ବର୍ଷୀୟ ବୃଦ୍ଧ ରହିଥିବା ଜଣାପଡ଼ିଛି।
ଗୁରୁବାର କନ୍ଧମାଳ ଜିଲାରେ ମୋଟ୍ ୭୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ବ୍ଲକ କାର୍ଯ୍ୟାଳୟର ଅଧିକାରୀମାନେ କରୋନା ସଂକ୍ରମିତ ହେବା ପରେ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ସେହିପରି ବୁଧବାର ଜିଲାରେ ୨୦ ଜଣ ସଂକ୍ରମିତ ହୋଇଥିବାବେଳେ କେବଳ ଦାରିଙ୍ଗବାଡ଼ିରେ ୧୨ଜଣ ଚିହ୍ନଟ ହୋଇଥିଲେ।