ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି। ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ବିଶେଷ ଭାବେ ନିର୍ମିତ ଗାଡ଼ି (ISUZU D-MAX, V-CROSS) ପ୍ରଦାନ କରାଯାଇଛି।

ଏଥିସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି। ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଗାଡ଼ି ଦିଆଯାଇଛି। ଗୁରୁବାର ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଭ୍ୟାନ୍‌ର ଶୁଭାରମ୍ଭ ହୋଇଯାଇଛି। ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।

ଏହି ଗାଡିଗୁଡିକରେ ଜିପିଏସ୍‌ ନେଭିଗେସନ୍‌ ଭଳି ଅନେକ ଆଧୁନିକ ବ୍ୟବସ୍ଥା ରହିବା ସହ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଦରକାର ହେଉଥିବା ବିଭିନ୍ନ ସରଞ୍ଜାମ ସ୍ଥାପନ କରାଯାଇଛି। ଗାଡ଼ିଗୁଡିକ ଶିକାରୀମାନଙ୍କ ଦୃଷ୍ଟିକୁ ଏଡାଇଯିବା ଭଳି ବିଶେଷ ଭାବରେ ରଙ୍ଗ କରାଯାଇଛି। ଜଙ୍ଗଲରେ ତୀକ୍ଷ୍ମ ଘାଟି ଓ କଷ୍ଟସାଧ୍ୟ ଅଞ୍ଚଳରେ ଚାଲିବା ପାଇଁ ଏହି ଗାଡି ଗୁଡିକରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବା ସହିତ ଅଧିକ ସୁରକ୍ଷା କର୍ମଚାରୀ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଏହି ଗାଡିଗୁଡିକ ସୁରକ୍ଷା କାର୍ଯ୍ୟରେ ନିଯୋଜିତ କରାଯିବ। ସେହିପରି ଆଗାମୀ ଦିନରେ ସମ୍ବଲପୁର ଡେବ୍ରିଗ ଅଭୟରଣ୍ୟରେ ମଧ୍ୟ ଏଭଳି ଅତ୍ୟାଧୁନିକ ପେଟ୍ରୋଲିଂ ଭ୍ୟାନ ଯୋଗାଇ ଦେବାନେଇ ନେଇ ବିଚାର ବମର୍ଷ ଚାଲିଥିବା ସୂଚନା ଦିଆଯାଇଛି।

ଅପରପକ୍ଷେ ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ ୧୪ ମହାବଳ ଆସିବେ। ଏନ୍‌ଟିସିଏର ଟାଇଗର ରିକଭରି ପ୍ଲାନ୍‌ ଅନୁୟାୟୀ ଏହାକୁ ୫ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି। ୨୦୦୭ରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବାବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି। ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ପିସିସିଏଫ ସୂଚନା ଦେଇଛନ୍ତି। ତେବେ ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ ବୋଲି ସେ କହିଛନ୍ତି।