ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ ୧୪ ଗାଡ଼ି ଚୋରି କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏପରିି କି ଏହି ଚୋରା ଗ୍ୟାଙ୍ଗଠାରୁ ବାଦ୍ ପଡ଼ିନାହାନ୍ତି ପୋଲିସ କନଷ୍ଟେବଳ। ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଆଙ୍କୁଲି ଲକ୍ଷ୍ମୀନାରାୟଣ ନଗରରେ ରହୁଥିବା ବେଳେ ଗତ ମାସରେ ତାଙ୍କ ସ୍କୁଟି ଚୋରି ହୋଇଥିବା ନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏଭଳି ଭାବେ ବୈଦ୍ୟନାଥପୁର ଥାନାରେ ଗତ ମାସରେ ମୋଟ ୧୧ ଗାଡ଼ି ଚୋରି ମାମଲା ଥିବା ବେଳେ ସେଥିମଧ୍ୟରେ ୩ଟି ଗାଡ଼ି ଏମକେସିଜି ମେଡିକାଲ ପରିସରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବଡ଼ ବଜାର ଥାନାରେ ଗୋଟିଏ ମାମଲା ଥିବା ବେଳେ ଏହି ମାମଲାରେ କାହାକୁ ପୋଲିସ ଗିରଫ କରିପାରିନାହିଁ। ସେହିପରି ଗୋଷଣୀନୂଆଗଁା ଥାନା ଅଞ୍ଚଳରେ ୨ଟି ଗାଡ଼ି ଚୋରି ହୋଇଥିବା ବେଳେ ପୋଲିସ ଏବେ ସୁଦ୍ଧା ଏହାକୁ ଠାବ କରିପାରି ନାହିଁ। ଉପରୋକ୍ତ ୩ ଟି ଥାନା ମଧ୍ୟରୁ ବୈଦ୍ୟନାଥପୁର ଥାନାରେ ସର୍ବାଧିକ ୧୧ ମାମଲା ଥିବା ଦେଖିବାକୁ ମିଳିଛି। ଉକ୍ତ ଗାଡିକୁ ଚୋରି କରି ଚୋରମାନେ ମାତ୍ର ୧୫ରୁ ୨୦ ହଜାର ମଧ୍ୟରେ ଗଜପତି ଜିଲାକୁ ନେଇ ବିକ୍ରି କରନ୍ତି। ଏହି ଗାଡ଼ି ଦ୍ୱାରା ଚୋରା ମଦ ଓ ଗଞ୍ଜେଇ ଚାଲାଣ ହେଉଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।