ବଳାତ୍କାରୀଙ୍କୁ ୧୪ବର୍ଷ ଜେଲ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୂଆମୂଳ ରାମପୁର ଥାନା ଅଞ୍ଚଳରେ ୨୦୧୬ରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବଳାତ୍କାର ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ଜିଲା ସ୍ବତନ୍ତ୍ର ବିଚାରପତି (ପୋକ୍‌ସୋ) ଶୁଭଞ୍ଜନ ମହାନ୍ତି ମାମଲାର ୧୭ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଥୁଆମୂଳ ରାମପୁର ଥାନା ସିରିମସ୍କା (ବଳଭଦ୍ର କଲୋନୀ) ଗ୍ରାମର ସୁବାଷ ନାଏକ(୨୯)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହିସହ ୬୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ୭ମାସ ଅଧିକ ଜେଲଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ, ପୀଡିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ନାବାଳିକା ଛାତ୍ରୀ ଜଣକ ସ୍କୁଲକୁ ଯାଇ ଘରକୁ ଫେରି ନ ଥିଲେ। ଅଭିଯୁକ୍ତ ବାଇକରେ ପୀଡିତାଙ୍କୁ ଜବରଦସ୍ତ ବସାଇ ନିକଟିସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ପରେ ପରିବାର ଲୋକେ ପୀଡିତାଙ୍କୁ ଉଦ୍ଧାର କରିଥିଲେ। ଏହାକୁ ନେଇ ଗତ ୨୦।୧୧।୨୦୧୬ରେ ପୀଡିତାଙ୍କ ବାପା ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ।

Share