ଜିଲାରେ ୧୪୦ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁର ଅଫିସ,୨୮ା୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପୁଣିଥରେ ୫ ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକର ୩ଜଣ ରହିଥିବା ବେଳେ ଜଣେ ଶେରଗଡ ବ୍ଲକର ଓ ଅନ୍ୟଜଣେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ୩୨ ବର୍ଷର ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ କାମ କରୁଥିବା ବେଳେ ତାଙ୍କୁ ସେଠାରେ ଜ୍ୱର ହୋଇଥିଲା। ପରେ ସେ ଗଁାକୁ ଫେରିଥିଲେ। ତାଙ୍କର ଡେଙ୍ଗୁ ପରୀକ୍ଷା କରିବା ପରେ ପଜିଟିଭ ଆସିଛି। ସେହିପରି ଉକ୍ତ ବ୍ଲକ ସିଦ୍ଧେଶ୍ୱର ଗ୍ରାମର ୨୫ ବର୍ଷର ଜଣେ ମହିଳା ଓ ୩୨ ବର୍ଷର ଜଣେ ବ୍ୟକ୍ତିଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଶେରଗଡ ବ୍ଲକର ୧୯ ବର୍ଷର ଜଣେ ଯୁବକ ଗୁଜରାଟରେ ରହୁଥିବା ବେଳେ ସେଠାରେ ତାଙ୍କୁ ଜ୍ୱର ହୋଇଥିଲା। ସେ ଘରକୁ ଫେରିଥିଲେ। ତାଙ୍କର ଡେଙ୍ଗୁ ପରୀକ୍ଷା ପରେ ପଜିଟିଭ ଆସିଛି। ସେହିପରି ବିଏମ୍‌ସି ଦଳୁଆ ସାହିର ୨୭ ବର୍ଷର ଜଣେ ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାରେ ଏଯାବତ ମୋଟ ୧୪୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇ ସାରିଲେଣି। ଡେଙ୍ଗୁ ଜିଲାରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଚେତନ କରାଯାଉଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

Share