Categories: ଖେଳ

କୁମିତେ ସେମିନାରରେ ଭାଗନେଲେ ୧୪୦ କରାଟେକା

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ପରିସରରେ ଜାତୀୟ ସ୍ତରୀୟ ଆଡ୍‌ଭାନ୍ସ କୁମିତେ ସେମିନାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ କରାଟେ ସଂଘର ଅନ୍ୟତମ ବୈଷୟିକ ସଦସ୍ୟ ହାନ୍‌ସି ଭରତ ଶର୍ମା ଏହି ସେମିନାରରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଓଡ଼ିଶା ଏବଂ ବାହାର ରାଜ୍ୟରୁ ୧୪୦ କରାଟେକା ଏହି ସେମିନାରରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପ୍ରତିଯୋଗୀମାନେ ଗତ ୪୦ ବର୍ଷ ଧରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇ ଆସୁଛନ୍ତି। ସେମାନେ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି। ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ରାଜ୍ୟ କରାଟେ ସଂଘର ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ ପ୍ରଶଂସାର ହକ୍‌ଦାର ବୋଲି ଭରତ ପ୍ରକାଶ କରିଥିଲେ। ରବିବାର ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କରାଟେ ସଂଘର ପ୍ରତିଷ୍ଠାତା ସଞ୍ଜୟ କୁମାର ଦାସ, ସନତ ନାୟକ ଓ କାଳି ପ୍ରସାଦ ନନ୍ଦଙ୍କୁ ୨ୟ ଡାନ୍‌ ବ୍ଲାକ୍‌ବେଲ୍ଟ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ୪୨ ଜଣଙ୍କୁ କରାଟେ ଇଣ୍ଡିଆ ଅର୍ଗାନାଇଜେଶନ ପକ୍ଷରୁ ବିଭିନ୍ନ ଡାନ୍‌ ବେଲ୍ଟ ଦିଆଯାଇଥିଲା। ଏହି ସେମିନାରରେ ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି, ଖାରବେଳ ମଲିକ, ଜୟଦେବ ପଟ୍ଟନାୟକ, ରାଜୀବ ସିଂ, ଦୀପକ ସାମନ୍ତରାୟ, ସନକ ଦେଓ, ଭାଲେନା ଭାଲେଣ୍ଟିନା ଆଦି ସେନ୍‌ସେଇମାନେ ଅଂଶଗ୍ରହଣ କରିଥିଲେ।

Share