(ରାମକୃଷ୍ଣ ସାହୁ) କନିଷି,୩୦ା୫(ଡି.ଏନ.ଏ.)- ବର୍ତ୍ତମାନ ସମୟରେ ମାଟିପାତ୍ରର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି। ଏହାର ସ୍ଥାନ ନେଇଛି ଷ୍ଟିଲ ଓ ପ୍ଲାଷ୍ଟିକ ବାସନକୁଶନ। ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କେତେକ କୁମ୍ଭକାର ପରିବାର ନିଜ କୌଳିକ ବୃତ୍ତିକୁ ଛାଡ଼ି ପାରୁନାହାନ୍ତି। ହେଲେ ସେମାନଙ୍କର ଅସୁବିଧା କେହି ବୁଝୁନାହାନ୍ତି। ସରକାର କି ପ୍ରଶାସନ ତରଫରୁ କୌଣସି ସହାୟତା ମିଳୁନାହିଁ। ଏଭଳି ଦୁର୍ଦ୍ଦିନର ସାମନା କରି ନ ପାରି କେତେଜଣ ନିଜ ପରିବାର ପ୍ରତିପୋଷଣ ପାଇଁ ପିଲାମାନଙ୍କୁ ଧରି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି ତ ଆଉ କେତେକେ ପନିପରିବା ଧରି ଗାଁକୁ ଗାଁ ବୁଲି ବିକ୍ରି କରୁଛନ୍ତି। ନ ହେଲେ ଅନ୍ୟ କିଛି କାମଧନ୍ଦା କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟପକ୍ଷରେ ଖରାଦିନ ଆସିଲେ ଥଣ୍ଡା ପାଣି ପାଇଁ ଖୋଜା ପଡ଼ିଥାଏ ମାଟି ହାଣ୍ଡି, ମାଠିଆ ଓ କଳସୀ। ସେହିପରି ପୂଜା, ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା ଆଦିରେ ମଧ୍ୟ ଏସବୁ ମାଟି ଜିନିଷ ଦରକାର ପଡ଼ୁଥିବା ବେଳେ ତାହା ଏବେ ମିଳିବା କଷ୍ଟକର ହୋଇପଡ଼ିଛି।
ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଚାନ୍ଦପୁର, ଚିକରଡ଼ା ଓ କୁକୁଡ଼ାଖଣ୍ଡି ବ୍ଲକର ଲାଠୀ ଗ୍ରାମରେ ବହୁ କୁମ୍ଭକାର ସେମାନଙ୍କ କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ମାତ୍ର ପ୍ରୋତ୍ସାହନ ମିଳୁ ନ ଥିବା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମାନେ ମାଟିହାଣ୍ଡି, ମାଠିଆ, କୁଣ୍ଡ, ଫୁଲକୁଣ୍ଡ, ସରା, କଳସ, ଦୀପ ଆଦି ପ୍ରସ୍ତୁତ କରି ପରିବାର ଚଳାଉଛନ୍ତି। ମାଟି ହାଣ୍ଡି କିମ୍ବା ମାଠିଆ ତିଆରି କଲେ ଯେତିକି ପରିଶ୍ରମ ହେଉଛି ତାହାକୁ ବିକ୍ରି କଲେ ତା’ ତୁଳନାରେ ପ୍ରାପ୍ୟ ମିଳୁନାହିଁ। ମାଠିଆର ଦାମ ଯେତିକି ତା’ଠାରୁ କମ ଦରରେ ବଜାରରେ ଅନ୍ୟାନ୍ୟ ପାତ୍ର ମିଳିପାରୁଛି। ମାଟି ପାତ୍ର ନିର୍ମାଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତାହାକୁ ବିକ୍ରି କରିବା ପାଇଁ କୌଣସି ସୁବିଧା ନାହିଁ। ତେଣୁ କୁମ୍ଭକାରମାନେ ଅଟୋରେ ବଜାରକୁ ସେମାନଙ୍କ ସାମଗ୍ରୀ ନେବା ବେଳେ ଅନେକ ଜିନିଷ ଭାଙ୍ଗି ନଷ୍ଟ ହୋଇଯାଉଛି। ଫଳରେ ସେମାନେ ବହୁ କ୍ଷତିରେ ପଡ଼ୁଛନ୍ତି। କୁମ୍ଭକାର ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସହାୟତା ମିଳୁନାହିଁ ବୋଲି ଚିକରଡ଼ା ଗ୍ରାମର ହରିବନ୍ଧୁ ବେହେରା ଦୁଃଖର ସହ ପ୍ରକାଶ କରିଥିଲେ। ଆମେ ଏଠାରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ କାମ କରୁଛୁ। ସରକାରଙ୍କ ତରଫରୁ କୌଣସି ଭତ୍ତା ମିଳୁ ନାହିଁ କି ସାହାଯ୍ୟ ମିଳୁନାହିଁ। କିପରି ପରିବାର ଚଳାଇବୁ ବୋଲି ସେ କହିଛନ୍ତି। ସେହିପରି ଗ୍ରାମର ମୁଖ୍ୟ ତଥା ସାମାଜିକ କର୍ମୀ କୈଳାସ ଚନ୍ଦ୍ର ମହାନ୍ତି କହିଛନ୍ତି, ଦୀର୍ଘ ବର୍ଷ ବର୍ଷ ଧରି ଗ୍ରାମରେ ଏହି ବୃତ୍ତିରେ ନିୟୋଜିତ ଲୋକେ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ସେମାନଙ୍କୁ ବ୍ୟାଙ୍କ ଋଣ କି ସରକାରୀ ସହାୟତା ମିଳୁନାହିଁ। ଏଥିପ୍ରତି ସରକାରଙ୍କ ନଜର ପଡ଼ୁନାହିଁ। ବ୍ୟବସାୟ ମାନ୍ଦା ଯୋଗୁଁ ଅନେକ ପରିବାରର ଯୁବକମାନେ ଦାଦନ ଖଟିବାକୁ ଚାଲି ଯାଉଥିବା ସେ ଅଭିଯୋଗ ହେଉଛି।