ସୁନକଙ୍କୁ ୧୪୨ ସାଂସଦଙ୍କ ସମର୍ଥନ…

ଲଣ୍ଡନ,୨୪।୧୦ : ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ସୋମବାର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏପର୍ଯ୍ୟନ୍ତ ତାଙ୍କ ପ୍ରତି ୧୪୨ ଜଣ ସାଂସଦଙ୍କ ସମର୍ଥନ ଥିବା ଦାବି କରିଥିବା ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନାମ ପ୍ରତ୍ୟାହାର ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବାର ଆଶା ଉଜ୍ୱଳ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ର୍ନିଣ୍ଣାୟକ ନିଷ୍ପତ୍ତି ପାଇଁ ସୁନକଙ୍କୁ ସୋମବାର ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ଏହାର କାରଣ ହେଉଛନ୍ତି କଞ୍ଜରଭେଟିବ୍‌ ପାର୍ଟିର ସାଂସଦ ପେନି ମର୍ଡଣ୍ଟ। ଯଦି ସୁନିକଙ୍କୁ ଚ୍ୟାଲେଞ୍ଜ କରୁଥିବା ମର୍ଡଣ୍ଟ ସୋମବାର ଅପରାହ୍ନ ସୁଦ୍ଧା ନିଜ ସମର୍ଥନରେ ୧୦୦ ଜଣ ସାଂସଦଙ୍କ ସମର୍ଥନ ହାସଲ କରିପାରିବେ ନାହିଁ, ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯିବ। ମର୍ଡଣ୍ଟଙ୍କ ସମର୍ଥନରେ ଏପର୍ଯ୍ୟନ୍ତ ୨୯ ଜଣ ସାଂସଦଙ୍କ ସହ ଅଛନ୍ତି ବୋଲି ସେ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଅପରାହ୍ନ ୨ ଟା ସୁଦ୍ଧା ୧୦୦ ସାଂସଦଙ୍କ ସମର୍ଥନ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି। ସେହି ସମୟରେ ଯେତେବେଳେ ବର୍ତ୍ତମାନର ସରକାରରେ ଅର୍ଥମନ୍ତ୍ରୀ ଜେରେମି ହଣ୍ଟ ମଧ୍ୟ ସୁନକଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇବାକୁ ହକଦାର ବୋଲି କହିଛନ୍ତି।

ଗତ ସପ୍ତାହରେ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଞ୍ଜରଭେଟିବ୍‌ ପାର୍ଟି ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ଯଥାଶୀଘ୍ର ବାଛିବା ପାଇଁ ନିୟମ ଘୋଷଣା କରିଥିଲେ। ଏହା ଅନ୍ତର୍ଗତ କୌଣସି ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ରେ ରହିବା ପାଇଁ ଅତିକମରେ ୧୦୦ ସାଂସଦଙ୍କ ସମର୍ଥନ ଉପସ୍ଥାପନ କରିବାର ସର୍ତ୍ତ ରଖାଯାଇଥିଲା । ୩୫୭ ସାଂସଦଙ୍କ ସହ କଞ୍ଜରଭେଟିବ୍‌ ପାର୍ଟି ରେ ପ୍ରାୟ ତିନିଜଣ ସାଂସଦ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଦାବି କରିପାରିବେ।

ନିୟମ ଅନୁଯାୟୀ, ଶେଷ ରାଉଣ୍ଡରେ ଅବଶିଷ୍ଟ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବିଜୟ ଅନଲାଇନ ଭୋଟ ମାଧ୍ୟମରେ ସ୍ଥିର ହେବ, ଯେଉଁଥିରେ୧୭୦,୦୦୦ କଞ୍ଜରଭେଟିବ୍‌ ପାର୍ଟି କର୍ମୀ ଭୋଟ ଦେବେ।

Share