Categories: ଜାତୀୟ

ମାଟିତଳୁ ବାହାରିବ ୧୪୩ ବର୍ଷର ଟାଇମ୍‌ କ୍ୟାପସୁଲ୍‌: ବଖାଣିବ ଇତିହାସ

ଅଲୀଗଡ଼ , ୫।୯: ମାଟିତଳୁ ୧୪୩ ବର୍ଷ ତଳେ ପୋତାଯାଇଥିବା ଟାଇମ୍‌ କ୍ୟାପସୁଲ୍‌ ବାହାର କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ପୋତାଯାଇଥିବା ଏହି ଟାଇମ୍‌ କ୍ୟାପସୁଲ୍‌ କେବେ ବାହାର କରାଯିବ ସେନେଇ ଏକ କମିଟି ଗଠନ କରାଯାଇଛି। ବିଶ୍ୱବିଦ୍ୟାଳୟର ଇତିହାସ ସମ୍ପର୍କରେ ଅବଗତ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି। ବିଶ୍ୱିଦ୍ୟାଳୟର ସଂସ୍ଥାପକ ସାର ସୟଦ୍‌ ଅହମ୍ମଦ ଖାଁଙ୍କ ଦ୍ୱାରା ମହମ୍ମଡ଼ାନ ଆଙ୍ଗ୍ଲୋ ଓରିଏଣ୍ଟାଲ କଲେଜର ସ୍ଥାପନା ସମୟରେ ଟାଇମ କ୍ୟାପସୁଲ୍‌ ମାଟିରେ ପୋତିଥିଲେ। କ୍ୟାପସୁଲ୍‌କୁ ଷ୍ଟ୍ରେଚି ହଲ୍‌ ପାଖରେ ପୋତାଯାଇଥିଲା। ଏବେ ନକ୍ସା ଅନୁସାରେ କ୍ୟାପସୁଲ ଖୋଜା ଆରମ୍ଭ ହୋଇଛି। ଏହାର ଫଟୋ ମଧ୍ୟ ରହିଛି। ସୟଦ୍‌ ଅହମ୍ମଦ ୧୮୭୫ ମେ ୨୪ରେ ଏଠାରେ ତୁଲ୍‌ ଉଲୁମ୍‌ ନାମକ ଏକ ମଦ୍ରାସା ଆରମ୍ଭ କରିଥିଲେ। ମାତ୍ର ୭ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ମଦ୍ରାସା ୧୯୨୦ରେ ବିଶ୍ୱ ବିଦ୍ୟାଳୟ ରୂପ ନେଇଥିଲା। ୧୮୭୭ରେ ଏଠାରେ ଏକ ଟାଇମ କ୍ୟାପସୁଲ ପୋତା ଯାଇଥିଲା। କ୍ୟାପସୁଲ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ୧୮୭୭ ଜାନୁୟାରୀ ୧୨ରେ ପ୍ରକାଶିତ ହୋଇଥିବା ଗେଜେଟ୍‌ରେ ଉଲ୍ଲେଖ କରାଯାଇଛି। କ୍ୟାପସୁଲରେ ସୁନା, ରୁପା ଏବଂ ତମ୍ବା ମୁଦ୍ରା ରହିଛି। ଏହା ସହିତ ଏଥିରେ ସ୍ଥାପନା ସମ୍ପର୍କିତ ତଥ୍ୟ ମଧ୍ୟ ରଖାଯାଇଛି। ଏକ କାଚ ବୋତଲରେ ଏସବୁକୁ ରଖାଯାଇଥିବା କୁହାଯାଉଛି। ଏହି କ୍ୟାପସୁଲକୁ ବାହାର କରାଯାଇ ନୂଆ କ୍ୟାପସୁଲ ମଧ୍ୟ ମାଟିରେ ପୋତାଯିବାର ଯୋଜନା ରହିଛି। ନୂଆ କ୍ୟାପସୁଲ୍‌ ପୋତାଯିବା ପାଇଁ ୪ଟି ସ୍ଥାନ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ଏହାକୁ ପୋତାଯିବ।

Share