୧୪୪ ଗାଁ ଲୋକେ ପିଇବେ ସ୍ବଚ୍ଛ ପାଣି

ବାଲିଆପାଳ, ୨୪।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର କୁଦମାନସି ଗ୍ରାମରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ମେଗା ସ୍ବଚ୍ଛ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆରଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ସମୀର ଦେ, ଏସ୍‌ଡିଓ ଶେଷନାଗ ପ୍ରଧାନଙ୍କ ସହିତ ବମ୍ବେର ଠିକାଦାର ବ୍ଲୁ ଷ୍ଟାର କମ୍ପାନୀ ଅଧିକାରୀମାନଙ୍କଠାରୁ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ବିଧାୟକ ସାହୁ ଏବଂ ଇଂ. ଜେନା ପଚାରି ବୁଝିଥିଲେ। ୧୮ରୁ ୨୪ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ବାଲିଆପାଳ ବ୍ଲକର ୧୪୪ ଗାଁଲୋକେ ଆରୋଯୁକ୍ତ ପାଣି ପିଇବେ ବୋଲି ଇଂ. ଜେନା କହିଥିଲେ। ଏହି ପ୍ରକଳ୍ପ ୧୭୨ କୋଟି ଟଙ୍କାରେ ଶେଷ କରିବା ଲାଗି ନିର୍ମାଣ ସଂସ୍ଥା ବ୍ଲୁ ଷ୍ଟାର ସରକାରଙ୍କ ସହିତ ଚୁକ୍ତି କରିଥିବା ସୂଚନା ମିଳିଛି। ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ବାଲିଆପାଳ ବ୍ଲକର ୨୧ ପଞ୍ଚାୟତ ୧୪୪ ଗ୍ରାମର ବାସିନ୍ଦା ଉପକୃତ ହେବେ। ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ, ବଳରାମ ସାହୁ, ହେମନ୍ତ ଦାସ, ଶାନ୍ତନୁ ଭଦ୍ର, ସୌମ୍ୟଦୀପ ଚକ୍ରବର୍ତ୍ତୀ, ରବୀନ୍ଦ୍ର ନାଥ ଅଣ୍ଡାଆ, ଲମ୍ବୁଧର ମାହାନା, ପ୍ରତାପ ପାତ୍ରଙ୍କ ସହିତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ।