Categories: ଜାତୀୟ

ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି: ୫୩ ପ୍ରତିଶତ ସଂସ୍ଥା ନକଲି…

ନୂଆଦିଲ୍ଲୀ,୨୦।୮ : ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି ହୋଇଛି। ଦେଶର ୩୪ ଟି ରାଜ୍ୟର ୧୦୦ ଟି ଜିଲାରେ କରାଯାଇଥିବା ଅନୁସନ୍ଧାନରେ ନକଲି ହିତାଧିକାରୀ, କେବଳ କାଗଜ ପତ୍ରରେ ଥିବା ପ୍ରତିଷ୍ଠାନ ଏବଂ ଛଦ୍ମନାମ ସହିତ ବ୍ୟାଙ୍କ ଆକାଉଣ୍ଟ ଅନେକ ରାଜ୍ୟରେ ସାମ୍ନାକୁ ଆସିଛି।

୧,୫୭୨ ଅନୁଷ୍ଠାନ ମଧ୍ୟରୁ ୮୩୦ ଅର୍ଥାତ ୫୩ ପ୍ରତିଶତ କେବଳ କାଗଜପତ୍ରରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନଗୁଡିକ ୧୪୪.୮୩ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। ଏହାର ପର୍ଦ୍ଦାଫାଶ ହେବା ପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଯାଞ୍ଚ ଦାୟିତ୍ୱ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଛି।

ସିବିଆଇକୁ ପଠାଯାଇଥିବା ଚିଠି ଅନୁଯାୟୀ ଏହି ଜାଲିଆତି କେବଳ ଆର୍ଥିକ ଲାଭ ପାଇବା କଥା ନୁହେଁ, ଛାତ୍ରବୃତ୍ତିର ଅପବ୍ୟବହାର ଯୋଗୁ ସୁରକ୍ଷା ବିପଦ ମଧ୍ୟ ରହିଛି। ମନ୍ତ୍ରଣାଳୟ ଅନୁଯାୟୀ, ନକଲି ବ୍ୟାଙ୍କ ଆକାଉଣ୍ଟ ତିଆରି କରି ବିଦ୍ୟମାନ ନ ଥିବା ଛାତ୍ରୀଛାତ୍ରମାନଙ୍କ ନାମରେ ଏହି ଛାତ୍ରବୃତ୍ତି ନିଆଯାଇଥିଲା। କେବଳ ଏତିକି ନୁହେଁ, ଏହି ନକଲି ନାମ ଏବଂ ନକଲି ହଷ୍ଟେଲଗୁଡ଼ିକର କଓ୍ବୋଇସି ବଦଳରେ ଟଙ୍କା ମଧ୍ୟ ନିଆଯାଇଥିଲା। ଦେଶରେ ପ୍ରାୟ ୧.୮୦ ଲକ୍ଷ ସଂଖ୍ୟାଲଘୁ ଅନୁଷ୍ଠାନ ଅଛି। ସେଥିମଧ୍ୟରୁ ୧.୭୫ ଲକ୍ଷ ମଦ୍ରାସା ଅଛି। ସେଥିମଧ୍ୟରୁ କେବଳ ୨୭ ହଜାର ମଦ୍ରାସା ପଞ୍ଜୀକୃତ ଏବଂ ଛାତ୍ରବୃତ୍ତି ପାଇଁ ଯୋଗ୍ୟ।

ଏହି ଯୋଜନା ଅଧୀନରେ, ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା କରୁଥିବା ସଂଖ୍ୟାଲଘୁ ଛାତ୍ରରଛାତ୍ରମାନେ ଛାତ୍ରବୃତ୍ତିର ଲାଭ ପାଇଥାନ୍ତି। ଏହି ଯୋଜନା ୨୦୦୭-୦୮ରେ ଆରମ୍ଭ ହୋଇଥିଲା। ମନ୍ତ୍ରଣାଳୟ ଅନୁସାରେ ସେହି ଦିନଠାରୁ ଏହି ଦୁର୍ନୀତି ଚାଲିଛି। ଏପର୍ଯ୍ୟନ୍ତ ପ୍ରାୟ ୨୨ ହଜାର କୋଟି ଟଙ୍କା ରିଲିଜ ହୋଇଛି। ଗତ ଚାରି ବର୍ଷ ପାଇଁ ବାର୍ଷିକ ୨.୨୩୯ କୋଟି ଟଙ୍କା ସ୍କଲାରଶିପ ପ୍ରଦାନ କରାଯାଇଥିଲା ।

Share