୧୪୬ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନିଜସ୍ବ ଗୃହ

ଧାମନଗର,୧୫।୯(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକରେ ୧୪୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଘର ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ଅଙ୍ଗନୱାଡି କର୍ମୀଙ୍କ ଘରେ ପାଠ ପଢ଼ୁଛନ୍ତି। ସେହିପରି ଆଉ କେଉଁଠି ନିକଟସ୍ଥ ବିଦ୍ୟାଳୟ ନ ହେଲେ ଗାଁରେ ଥିବା ଠାକୁର ଘର ବାରଣ୍ଡାରେ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି।
ବ୍ଲକରେ ମୋଟ ୩୫୩ ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୪୦ଟି ମିନି ଅଙ୍ଗନଓ୍ବାଡି କେନ୍ଦ୍ର। ୧୫୭ଟି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୪୫ କେନ୍ଦ୍ରରେ ଗୃହ ନିର୍ମାଣଧୀନ ଅବସ୍ଥାରେ ଅଛି। ସେଥିମଧ୍ୟରୁ ଭଗବାନପୁର ପଞ୍ଚାୟତର ଜୟକୃଷ୍ଣପୁର, ଗୋବିନ୍ଦପୁର ପଞ୍ଚାୟତର କଷଟି, କଲ୍ୟାଣୀ ପଞ୍ଚାୟତର କଲ୍ୟାଣୀ ପାଟଣାସାହି, ଧୁଷୁରୀ ପଞ୍ଚାୟତରେ ଜଗନ୍ନାଥ ମୁସଲିମ ସାହି ଓ ସାହାସପୁରର ଛଟି ସାହିରେ ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅଙ୍ଗନୱାଡିକୁ ହସ୍ତାନ୍ତର କରାଯାଇ ନାହିଁ। ବ୍ୟବହାର ନ ହେବା ଓ ନିମ୍ନମାନର କାର୍ଯ୍ୟ ଯୋଗୁ ଗୃହ କାନ୍ଥ ଓ ଚଟାଣ ଫାଟିବା ସହ ନଷ୍ଟ ହେବାକୁ ବସିଲାଣି। ଲୋକେ ଜାଳେଣି କାଠ ରଖିଲେଣି ତ ଆଉ କେଉଁଠି ଲୋକେ ଗୋରୁ ରଖି ଗୁହାଳ କରିଦେଲେଣି। ଆହୁରି ମଧ୍ୟ ଘର ତିଆରି କରିଥିବା ଠିକାଦାର ବିଲ୍‌ ସମ୍ପୂର୍ଣ୍ଣ ନ ପାଇବା ଦ୍ୱାରା ଉକ୍ତ ଘରକୁ ତାଲା ପକାଇ ରଖିଛନ୍ତି। ଅନ୍ୟ ୧୪୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ଅଣ୍ଡା, ଚାଉଳ, ରାଶନ ସହ ଅନ୍ୟାନ୍ୟ ସାମଗ୍ରୀକୁ କର୍ମୀମାନେ ଏଣେତେଣେ ରଖିବା ଦ୍ୱାରା ବାଟମାରଣା ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି।