Categories: ଜାତୀୟ

ପାଣିଘେରରେ ୧୪୬ ଗାଁ

ଗୁଆହାଟୀ,୧୯ା୬: ଦକ୍ଷିଣ ପୂର୍ବାଞ୍ଚଳ ରାଜ୍ୟ ଆସାମରେ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀରେ ପ୍ରଳଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ଫଳରେ ୧୩ ଜିଲାର ୧୪୬ ଗ୍ରାମ ଜଳମଗ୍ନ ହୋଇଯାଇଛି। ବିଶ୍ୱନାଥ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ଼, ହୋଜାଇ, ଲଖିମ୍‌ପୁର, ନଗାଓଁ, ସୋନିତ୍‌ପୁର, ତିନ୍‌ସୁକିଆ, ଉଦଲଗୁରି, କାଚର, କାମରୁପ(ମେଟ୍ରୋ) ଓ ନଲବାରି ଜିଲାର ୩୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଜୋର୍‌ହାଟର ନେମମାତିଘାଟରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା କେନ୍ଦ୍ରୀୟ ଜଳ ଆୟୁକ୍ତ (ସିଡବ୍ଲ୍ୟୁସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କାମପୁରରେ ପୋକିଲି ଓ ପୁଥିମାରି ନଦୀରେ ଜଳସ୍ତର ବହୁ ଉପରକୁ ଉଠି ସ୍ଥାନୀୟ ଲୋକଙ୍କ ପାଇଁ ବିପଦର କାରଣ ସାଜିଛି। ଅନ୍ୟ କେତେକ ନଦୀରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସିଡବ୍ଲ୍ୟୁସିଙ୍କ ବୁଲେଟିନ୍‌ରୁ ଜଣାପଡ଼ିଛି। କିଛିଦିନ ହେଲା ବର୍ଷା ଲାଗିରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏଏସ୍‌ଡିଏମ୍‌ଏ)ଙ୍କ ରିପୋର୍ଟ ଅନୁସାରେ ୧୦ ଜିଲାର ୩୮,୦୦୦ ଲୋକ ପ୍ରଭାବିତ ହେଲେଣି। ଗୁଆହାଟୀରେ ଭୂସ୍ଖଳନ ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାସ୍ତା, ବ୍ରିଜ୍‌, ସ୍କୁଲ ଓ ଅନ୍ୟ ଭିତ୍ତିଭୂମିଗୁଡ଼ିକ ପାଣିରେ ବୁଡ଼ିଯାଇଛି। ସେହିପରି ୧,୪୦୯ ହେକ୍ଟର ଚାଷଜମିରେ ପାଣି ମାଡ଼ିଯିବାରୁ ଫସଲ ନଷ୍ଟ ହୋଇଯାଇଛି।
ସରକାର ବିଶ୍ୱନାଥ, ଦିବ୍ରୁଗଡ଼, ଲଖିମପୁର, ତିନ୍‌ସୁକିଆ ଓ ଉଦାଲଗୁରିରେ ୧୯ଟି ରିଲିଫ୍‌ କ୍ୟାମ୍ପ୍‌ ପ୍ରତିଷ୍ଠା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌)କୁ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏଜେନ୍ସିଗୁଡ଼ିକ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।

Share