ମାଲକାନଗିରି ଜିଲାରେ ପୁଷ୍ଟିହୀନତା ସମସ୍ୟା:ପ୍ରତି ଜିଲାରେ ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ

କଟକ ଅଫିସ,୧୭।୧୨: ଅପପୁଷ୍ଟିକୁ ରୋକିବା ପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି। ମାତ୍ର ଏହାର ପ୍ରଭାବ ମାଲକାନଗିରି ଜିଲାରେ ପଡୁନାହିଁ। ଉକ୍ତ ଜିଲାରେ ବହୁ ସଂଖ୍ୟକ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଏପରି କି ଏହି ରୋଗର ଶିକାର ହୋଇ ଅନେକ ଶିଶୁଙ୍କ ମୃତ୍ୟୁ ଘଟୁଛି। ଏହାର ପ୍ରତିକାର ନିମନ୍ତେ ଆଡଭୋକେଟ ପ୍ରବୀର ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ରାଜ୍ୟ ଆଇନସେବା ପ୍ରାଧିକରଣ ଉକ୍ତ ମାମଲାରେ ନିଜ ଆଡୁ ପକ୍ଷଭୁକ୍ତ ହୋଇଥିଲା। ହାଇକୋର୍ଟରେ ଏହି ମାମଲାର ଶୁଣାଣି ସୋମବାର ହୋଇଥିଲା। ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ରାଜ୍ୟରେ ପୁଷ୍ଟିହୀନତା ସ୍ଥିତି କିପରି ରହିଛି ତାହାର ବାସ୍ତବତା ଜାଣିବା ପାଇଁ ପ୍ରତି ଜିଲାରେ ଜଣେ ଲେଖାଏ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି କରିବାକୁ ହାଇକୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଉକ୍ତ ଅଧିକାରୀ ପୁଷ୍ଟିହୀନତାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଏ ସମ୍ପର୍କରେ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଏବଂ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Share