ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ ନେତୃତ୍ୱରେ ୧୫ ଜଣ ନେତା ଇସ୍ତଫା ଦେଇଛନ୍ତି। ଭାଜପା ଲାକ୍ଷାଦ୍ୱୀପ ଶାଖା ସଭାପତି ଅବଦୁଲ ଖାଦେରଙ୍କ ଅଭିଯୋଗକ୍ରମେ ପୋଲିସ ଆଇଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ଏକ ଟେଲିଭିଜନ ବିତର୍କରେ ଭାଗନେଇ ଆଇଶା ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ସମ୍ପର୍କରେ ଭୁଲ୍‌ ଖବର ପ୍ରସାର କରୁଥିବା ଖାଦେର ଅଭିଯୋଗ କରିଥିଲେ। ଦଳୀୟ ନେତାମାନେ ଖାଦେରଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ଯେ, ଲାକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଭାଜପା କର୍ମୀମାନେ ବିକ୍ଷୋଭ କରୁଥିବାବେଳେ ଆଇଶାଙ୍କ ବିରୋଧରେ ମିଥ୍ୟା ଏବଂ ଅନ୍ୟାୟପୂର୍ଣ୍ଣ ଅଭିଯୋଗ ଦାଏର କରାଯିବା ତାଙ୍କର ତଥା ତାଙ୍କ ପରିବାରର ଭବିଷ୍ୟତକୁ ନଷ୍ଟ କରିଦେବ। ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟାନୁଷ୍ଠାନ ଜନବିରୋଧୀ, ଗଣତନ୍ତ୍ର ବିରୋଧୀ ତଥା ଲୋକମାନଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ଏହା ବିରୋଧରେ ଭାଜପା ନେତାମାନେ ସ୍ବର ଉତ୍ତୋଳନ କରୁଛନ୍ତି। ଠିକ୍‌ ସେମିତି ଆଇଶା ଗଣମାଧ୍ୟମରେ ନିଜର ମତାମତ ଉପସ୍ଥାପନ କରିଛନ୍ତି। ତାଙ୍କ ନଁାରେ ଦେଶଦ୍ରୋହ ମାମଲା ରୁଜୁ ହେବାକୁ ଭାଜପା ନେତାମାନେ ବିରୋଧ କରିଛନ୍ତି। ଗତ ମେ’ରେ ଭାଜପାର ୮ ଜଣ ନେତା ପ୍ରଫୁଲ୍ଲଙ୍କ କାର୍ଯ୍ୟକୁ ବିରୋଧ କରି ଇସ୍ତଫା ଦେଇଥିଲେ। ଅଭିନେତ୍ରୀ ଆଇଶା ଉଭୟ କେନ୍ଦ୍ର ସରକାର ଏବଂ ଲାକ୍ଷାଦ୍ୱୀପ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଦୃଢ଼ ସମାଲୋଚକ। ମାଲୟାଲମ ନ୍ୟୁଜ୍‌ ଚ୍ୟାନେଲର ଏକ ବିତର୍କରେ ଭାଗ ନେଇ ସେ କହିଥିଲେ, ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯କୁ କେନ୍ଦ୍ର ସରକାର ଜୈବ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।

 

Share