୧୫ ଦଗ୍ଧ, ୪୦୦ ନିଖୋଜ

କୋକ୍ସବାଜାର,୨୪ା୩: ବାଂଲାଦେଶର କୋକ୍ସ ବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ ନିଖୋଜ ହୋଇଯାଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା ୟୁଏନ୍‌ଏଚ୍‌ସିଆର୍‌ ପକ୍ଷରୁ କୁହାଯାଇଛି। ନିଆଁରେ ୧ ହଜାରରୁ ଅଧିକ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ବାଂଲାଦେଶର ଦକ୍ଷିଣ ପୂର୍ବ ସହର କୋକ୍ସବାଜାର ଶରଣାର୍ଥୀ ଶିବିରରେ ପ୍ରାୟ ୧୧ ଲକ୍ଷ ରୋହିଙ୍ଗ୍ୟା ରହୁଥିଲେ। ବାଲୁଖାଲି ଶିବିରରେ ହଠାତ୍‌ ନିଆଁ ଲାଗିଥିଲା। ସେଠାରେ ୧୨୪,୦୦୦ ଶରଣାର୍ଥୀ ଥିଲେ। ଚାହୁଁ ଚାହୁଁ ଚତୁର୍ଦ୍ଦିଗକୁ ନିଆଁ ବ୍ୟାପିଯାଇଥିଲା। ଏଥିରେ ୧୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୪୦୦ରୁ ଅଧିକ ଶରଣାର୍ଥୀଙ୍କ ପତ୍ତା ମିଳୁନାହିଁ। ୫୬୦ ଜଣ ଆହତ ଏବଂ ୪୫,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ୟୁଏନ୍‌ଏଚ୍‌ସିଆର୍‌ର ଜୋହନେସ୍‌ ଭନ୍‌ ଡେର୍‌ କ୍ଲାଉ ସୂଚନା ଦେଇଛନ୍ତି। ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍‌ ରେଡ୍‌କ୍ରସ୍‌ ଆଣ୍ଡ ରେଡ୍‌ କ୍ରେସ୍‌କେଣ୍ଟ ସୋସାଇଟିଜ୍‌ର ବାଂଲାଦେଶ ପ୍ରତିନିଧି ମୁଖ୍ୟ ସଞ୍ଜୀବ କାଫ୍‌ଲେ କହିଛନ୍ତି, ୧୭,୦୦୦ରୁ ଅଧିକ ଆଶ୍ରୟସ୍ଥଳ ଧ୍ୱସ୍ତ ହୋଇଯାଇଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।
ବର୍ଷ ପୂର୍ବେ ମ୍ୟାନ୍‌ମାରର ରାଖାଇନ୍‌ ଷ୍ଟେଟ୍‌ରେ ସାମରିକ ଅତ୍ୟାଚାର ସହି ନ ପାରି ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ଜୀବନ ବଞ୍ଚାଇବା ପାଇଁ ବାଂଲାଦେଶ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରିଥିଲେ। ନିକଟରେ ବାଂଲାଦେଶ ସରକାର ସେଠାରେ ଶରଣ ନେଇଥିବା କେତେଜଣ ରୋହିଙ୍ଗ୍ୟାଙ୍କୁ ଏକ ଦ୍ୱୀପରେ ଥିବା ଶିବିରରେ ଥଇଥାନ କରିଛନ୍ତି। ସରକାରଙ୍କ ଯୁକ୍ତି ହେଉଛି ନୂଆ କ୍ୟାମ୍ପ୍‌ କୋକ୍ସ ବାଜାରଠାରୁ ଅଧିକ ସୁରକ୍ଷିତ। ମାନବାଧିକାର ସଙ୍ଗଠନଗୁଡ଼ିକ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି।

Share