ରୁଷିଆ ସ୍କୁଲରେ ଗୁଳି, ୧୫ ମୃତ,୨୪ ଗୁରୁତର: ନିଜ ଗୁଳିରେ ଟଳିଲେ ଆତତାୟୀ

ମସ୍କୋ, ୨୬ା୯: ରୁଷିଆର ଇଜେଭ୍‌ସ୍କ ସହରରେ ଥିବା ଏକ ସ୍କୁଲରେ ଜଣେ ଆତତାୟୀ ସୋମବାର ଆଖିବୁଜା ଗୁଳି ଚଳାଇଛନ୍ତି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୧ ସ୍କୁଲ ପିଲା ରହିଛନ୍ତି। ଅଭିଯୁକ୍ତଙ୍କ ନାଁ ଆର୍ତେମ କାଜାଣ୍ଟସେଭ୍‌ (୩୦) ବୋଲି ଜଣାପଡ଼ିଛି। ଆର୍ତେମ ସେହି ସ୍କୁଲର ଛାତ୍ର ଥିଲେ। ହତ୍ୟାକାଣ୍ଡ ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଟି-ଶର୍ଟରେ ସ୍ବସ୍ତିକା ଚିହ୍ନ ଥିବାରୁ ଆତତାୟୀଙ୍କ ନାଜି ଲିଙ୍କ୍‌ ଥିବା ପୋଲିସ ସନ୍ଦେହ କରୁଛି। ସୂଚନାଯୋଗ୍ୟ, ସ୍କୁଲ ନମ୍ବର-୮୮ରେ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ଥିଲେ। ଆର୍ତେନ ୨ଟି ବନ୍ଧୁକ ଧରି ସ୍କୁଲ ଭିତରେ ପଶି ସେଠାରେ ଥିବା ପିଲା ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଗୁଳି କରିଥିଲେ। ଆର୍ତେନକୁ ରୋକିବାକୁ ଉଦ୍ୟମ ବେଳେ ୨ ସିକ୍ୟୁରିଟି ଗାର୍ଡ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୨ ଶିକ୍ଷକ ମଧ୍ୟ ଅଛନ୍ତି। ଘଟଣା ପରବର୍ତ୍ତୀ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଛି। ସ୍କୁଲ ଚଟାଣ ସାରା ରକ୍ତ ଛିଟା ପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି। ପୋଲିସ ହତ୍ୟାକାରୀଙ୍କ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରୁଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଆତଙ୍କବାଦୀ କାର୍ଯ୍ୟ କହିବା ସହ ଏଥିରେ ଫାସୀବାଦୀ ସଙ୍ଗଠନର ହାତ ଥିବା ଅଭିଯୋଗ ଆଣିଛନ୍ତି।

Share