ଉପବାସରେ ହରିଶ ମହାପୁରୁଷପଡ଼ାର ୧୫ ପରିବାର

ମହାକାଳପଡ଼ା,୧୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀରେ ପ୍ରବାହିତ ହେଉଛି ବନ୍ୟାଜଳ। ଏହି ବନ୍ୟାଜଳ ପ୍ରଭାବରେ ବ୍ଲକର ମହାନଦୀ ଶାଖା ଗୁପ୍ତଗିରି ନଦୀପାର୍ଶ୍ୱ ପେଟଛଲା ପଞ୍ଚାୟତ ପଲ୍ଲୀଗଡ଼ ଗାଁ ନିକଟ ହରିଶ ମହାପୁରୁଷପଡ଼ାର ୧୫ ପରିବାରକୁ ଚାରିପାର୍ଶ୍ୱରୁ ଘେରି ରହିଛି ୪ ଫୁଟ୍‌ର ବନ୍ୟାଜଳ। ଏମାନେ ୪ଦିନ ହେବ ଭୋକ ଉପାସରେ ଦିନ କାଟୁଥିବା ଲୋକମାନେ କହିଛନ୍ତି। ପ୍ରଶାସନ କିମ୍ବା ପଞ୍ଚାୟତ ସ୍ତରରେ କେହି ପହଞ୍ଚତ୍ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟ ନ ଥିବା ବେଳେ ପାନୀୟ ଜଳ ନାହିଁ। ବୃଦ୍ଧା, ଶିଶୁ ଓ ମହିଳାମାନେ ବନ୍ୟାଜଳ ବ୍ୟବହାର କରିବା ଫଳରେ ଜ୍ୱର, ଝାଡ଼ା ହେଉଛି ବୋଲି ଅଭିଯୋଗ କରିଛନ୍ତି। ପଡ଼ାର ଶୁକଦେବ ବେହେରା, ହେମନ୍ତ ବେହେରା, ନକୁଳ ଗୋଛାୟତ, ଜଗବନ୍ଧୁ ଭୋଳ, ଦିଲୀପ ଦାସ, ଅଜୟ ଦାସ, ଚଗଲା ବେହେରା, ଅରୁଣ ବେହେରା ପ୍ରମୁଖ ଏହି ଅଭିଯୋଗ କହିଛନ୍ତି। ତେବେ ଏହି ପଡ଼ାରେ କିପରି ପ୍ରଶାସନ ପକ୍ଷରୁ ତଦନ୍ତ ପରିସରଭୁକ୍ତ ନ ହେବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପ୍ରଭାବିତ ପରିବାରକୁ ରିଲିଫ୍‌ ଯୋଗାଇ ଦେବା ସହ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ପଡ଼ା ଲୋକମାନେ ବନ୍ୟା ଜଳ ପିଉଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ବନ୍ୟା ପରେ ଝାଡ଼ାବାନ୍ତି ଆଶଙ୍କା ରହିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦେବାଶିଷ ରାଉତଙ୍କୁ ପଚାରିବାରେ ଏହି ପେଟଛେଲା ପଞ୍ଚାୟତ ଚଳିତ ବନ୍ୟା ପ୍ରଭାବିତ ଅଞ୍ଚଳ ବୋଲି ସରକାରୀ ତାଲିକାରେ ନାହିଁ ବୋଲି ସେ କହିଛନ୍ତି।

Share