Categories: ଜାତୀୟ

୧୫ ଫୁଟିଆ ଅହିରାଜ ପଡ଼ିଲା ଧରା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଏମ୍ବାଟୁର, ୧୨।୭: ତାମିଲନାଡୁର କୋଏମ୍ବାଟୁର ନିକଟସ୍ଥ ଥୋଣ୍ଡାମୁଥୁର ଅଞ୍ଚଳର ନରସିପୁରମ୍‌ ଗାଁରୁ ଏକ ୧୫ ଫୁଟ ଲମ୍ବର ଅହିରାଜ ସାପ ଧରାପଡ଼ିଛି। ସ୍ଥାନୀୟ ବନ ବିଭାଗ କର୍ମଚାରୀ ଏହାକୁ ଧରି ଜଙ୍ଗଲରେ ଛାଡ଼ିଛନ୍ତି। ଶନିବାର ଗାଁ ନିକଟରେ ଥିବା ଏକ ବୁଦା ମୂଳରେ ବଡ଼ ଅହିରାଜ ରହିଥିବା ଦେଖି ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଧରିଥିଲେ। ପରେ ବନ ବିଭାଗ ପକ୍ଷରୁ ଏନେଇ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା। ସାପ ଧରାଯାଉଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନରସିପୁରମ୍‌ ଗାଁ ପଶ୍ଚିମଘାଟ ପର୍ବତଶ୍ରେଣୀର ତଳହଟି ପାହାଡ଼ ତଳେ ରହିଛି। ଅଧିକାଂଶ ସମୟରେ ବିଭିନ୍ନ ବନ୍ୟପ୍ରାଣୀ ଗାଁ ଭିତରକୁ ପଶି ଆସିଥାନ୍ତି।

Share