Categories: ଜାତୀୟ

ମହିଳା, ଶିଶୁ ବିରୋଧୀ ଅପରାଧ ୧୫% ବୃଦ୍ଧି

ନୂଆଦିଲ୍ଲୀ, ୩୦ା୮: ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ବିଶେଷକରି ଘରୋଇ ହିଂସାର ଶିକାର ହେଉଥିବାବେଳେ ଅସଦାଚରଣ, ଅପହରଣ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମହିଳା ବିରୋଧୀ ଅପରାଧ ମାମଲା ୨୦୨୦ ତୁଳନାରେ ୨୦୨୧ରେ ୧୫.୨% ବଢ଼ିଛି। ୨୦୨୧ରେ ପ୍ରତି ଲକ୍ଷେ ମହିଳାଙ୍କ ମଧ୍ୟରୁ ୬୪.୫% ଅପରାଧର ଶିକାର ହୋଇଥିବାବେଳେ ୨୦୨୦ରେ ଏହି ହାର ୫୬.୫% ଥିଲା ବୋଲି ଜାତୀୟ ଅପରାଧ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୨୦୨୧ରେ ଶିଶୁ ବିରୋଧୀ ଅପରାଧ ୨୦୨୦ ତୁଳନାରେ ୧୬.୨% ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ୨୦୨୧ରେ ମହିଳା ବିରୋଧୀ ଅପରାଧ ମାମଲା ୪,୨୮,୨୭୮ ରହିଛି। ଏହି ସଂଖ୍ୟା ୨୦୨୦ରେ ୩,୭୧,୫୦୩ ରହିଥିଲା। ସ୍ବାମୀ କିମ୍ବା ଶାଶୁଘର ଲୋକଙ୍କ ଦ୍ୱାରା ଅତ୍ୟାଚାର ଏବଂ ଅପରାଧର ଶିକାର ହୋଇ ଭାରତୀୟ ପେନାଲ କୋଡ୍‌(ଆଇପିସି)ରେ ପଞ୍ଜୀକୃତ ହୋଇଥିବା ମାମଲା ମୋଟ୍‌ କେସ୍‌ର ୩୧.୮%। ମହିଳାଙ୍କ ମର୍ଯ୍ୟାଦା ହାନି ପାଇଁ ଉଦ୍ଦିଷ୍ଟ ଆପରାଧିକ ମାମଲା ୨୦.୮% ରହିଥିବାବେଳେ ୧୭.୬% ଅପହରଣ କେସ୍‌ ରହିଛି। ସେହିପରି ଗତବର୍ଷ ପଞ୍ଜୀକୃତ ବଳାତ୍କାର ମାମଲା ୭.୪% ରହିଛି। ଅପରପକ୍ଷେ ୨୦୨୧ରେ ଶିଶୁଙ୍କ ପ୍ରତି ହୋଇଥିବା ଆପରାଧିକ ମାମଲା ସଂଖ୍ୟା ୧,୪୯,୪୦୪ ରହିଛି। ସେଥିମଧ୍ୟରୁ ଅଧିକାଂଶ କେସ୍‌ ଅପହରଣ ଜନିତ ହୋଇଥିବାବେଳେ ଏହାତଳକୁ ଯୌନଶୋଷଣ ଏବଂ ବଳାତ୍କାର ମାମଲା ରହିଛି। ୨୦୨୦ରେ ଶିଶୁ ବିରୋଧୀ ଅପରାଧ ମାମଲା ୧,୨୮,୫୩୧ ରହିଥିଲା। ଗତ ବର୍ଷ ପ୍ରତି ଲକ୍ଷେ ଶିଶୁରେ ୩୩.୬% ଅପରାଧର ଶିକାର ହୋଇଥିବାବେଳେ ୨୦୨୦ରେ ଏହି ହାର ୨୮.୯% ଥିଲା। ଏନ୍‌ସିଆର୍‌ବି ତଥ୍ୟରୁ ଆହୁରି ଜଣାପଡ଼ିଛି, ୨୦୨୧ରେ ମୋଟ ୬୦,୯୬,୩୧୦ ଆପରାଧିକ ମାମଲା ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୩୬,୬୩,୩୬୦ କେସ୍‌ ଆଇପିସି ଅଧୀନରେ ଥିବାବେଳେ ୨୪,୩୨,୯୫୦ ମାମଲା ସ୍ବତନ୍ତ୍ର ଏବଂ ସ୍ଥାନୀୟ ଆଇନ (ଏସ୍‌ଏଲ୍‌ଏଲ୍‌) ବଳରେ ପଞ୍ଜୀକୃତ ରହିଛି। ୨୦୨୦ ତୁଳନାରେ ମୋଟ ଆପରାଧିକ ମାମଲା ୭.୬% ହ୍ରାସ ପାଇଛି।

Share