ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର କେତେକ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରିତା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଲୋକେ ଏହାର ସୁଫଳ ପାଇପାରୁନାହାନ୍ତି। ଏଭଳି ଏକ ଘଟଣା ରବିବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ପରେ ମୃତଦେହ ନେବାକୁ ସ୍ବର୍ଗରଥ ନ ମିଳିବାରୁ ପରିବାର ଲୋକେ ବାଇକ୍‌ରେ ବୋହି ନେବା ପରି ଘଟଣା ସାମ୍ନାକୁ ଆସିଛି। ଏହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ଖବରରୁ ଜଣାପଡିଛି ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତଙ୍ଗଗୁଡା ଗ୍ରାମର ଇର୍ମା ମାଢିଙ୍କ ୪ ବର୍ଷର ଝିଅ ରଶ୍ମିତାଙ୍କ ଦେହ ଖରାପ ହୋଇଥିଲା। ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଅପପୁଷ୍ଟିର ଶିକାର ହୋଇଥିଲେ। ତାଙ୍କୁ ଅପପୁଷ୍ଟି କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକେ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପାଖରେ ଟଙ୍କା ନ ଥିବାରୁ ଇର୍ମା ଝିଅର ମୃତଦେହ କିପରି ଗ୍ରାମକୁ ନେବେ ଚିନ୍ତାରେ ପଡିଥିଲେ। ସେ ଚିକିତ୍ସାଳୟ କର୍ମଚାରୀଙ୍କୁ ସ୍ବର୍ଗରଥ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ମାତ୍ର ଏଥିପାଇଁ ଟଙ୍କା ଦେବାକୁ ପଡିବ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ ଜଣକ କହିଥିଲେ। ପାଖରେ ଟଙ୍କା ନ ଥିବାରୁ ଶେଷରେ ନିରାଶ ହୋଇ ଇର୍ମା ନିଜ ବାଇକ୍‌ରେ ଝିଅର ମୃତଦେହ ୧୫ କି.ମି. ଦୂର ନିଜ ଗ୍ରାମ ତଙ୍ଗଗୁଡାକୁ ନେଇଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ ଚିକିତ୍ସାଳୟରେ ରୋଗୀଙ୍କ ମୃତଦେହକୁ ଡାକ୍ତରଖାନା ପକ୍ଷରୁ ଘରେ ଛଡାଯିବା କଥା। ମାତ୍ର ଏଠାରେ ତାହା ହୋଇନାହିଁ। ସ୍ବର୍ଗରଥ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଲେ-ସରକାରଙ୍କ ନିୟମ ଅନୁଯାୟୀ କିଲୋମିଟର ପ୍ରତି ରହିଥିବା ଦେୟ ଦାଖଲ କରି ସ୍ବର୍ଗରଥ ଗାଡି ନେବାକୁ ଦାୟିତ୍ୱରେ ଥିବା କର୍ମଚାରୀ ଇର୍ମାଙ୍କୁ କହିଥିଲେ। ମାତ୍ର ସେ ଏହା ନ କରି ବାଇକ୍‌ରେ ମୃତଦେହ ତାଙ୍କ ଗ୍ରାମକୁ ନେଇଥିଲେ। ନେବା ସମୟରେ ମୁଁ ଏତେ ଟଙ୍କା ଦେଇପାରିବିନି ବୋଲି ଅଣ୍ଡରଟେକିଂ ଲେଖି ତାଙ୍କ ଝିଅର ମୃତଦେହ ନେଇଥିବା ନନ୍ଦ କହିଛନ୍ତି।

Share