ରାଜ୍ୟରେ ଟିକା ନେଲେଣି ଦେଢ଼ଲକ୍ଷ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ ଦେଢ଼ ଲକ୍ଷ ଲୋକଙ୍କୁ ଟିକା ଦିଆସରିଲାଣି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ ଅଭିଯାନରେ ସମୁଦାୟ ୧.୫ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି। ପ୍ରତି ନିୟୁତ ଲୋକ ସଂଖ୍ୟାରେ ୩୪୫୨.୮୧ ଜଣ ଟିକା ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ସମୟରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟାକୁ ସଫଳତାର ସହିତ ପରିଚାଳନା କରିପାରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ‘କୋଭାକ୍ସିନ’ ଓ ‘କୋଭିଶିଲ୍ଡ’ ଟିକା ଦିଆଯାଉଛି। ଭୁବନେଶ୍ୱରରେ ‘କୋଭାକ୍ସିନ’ ଟିକା ଦିଆଯାଉଥିବାବେଳେ ବାକି ସବୁଠି ‘କୋଭିଶିଲ୍ଡ’ ଦିଆଯାଉଛି। ତେବେ ପ୍ରଥମେ ଟିକା ନେବା ପାଇଁ ଭୟ କରୁଥିଲେ। କିନ୍ତୁ ଏବେ ହିତାଧିକାରୀମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡ଼ିଛି।

Share