ପ୍ଲଟ୍‌ ଦେବା ନାଁରେ ୧୫ ଲକ୍ଷ ଠକେଇ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କୁ ଏକ ବିଲ୍ଡର ସଂସ୍ଥା ପ୍ଲଟ ଦେବାକୁ କହି ୧୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକେଇ କରିଛି। ଠକେଇ ଅଭିଯୋଗର ଦୀର୍ଘ ୪ ବର୍ଷ ପରେ ମଞ୍ଚେଶ୍ୱର ଥାନା ପୋଲିସ ବିଲ୍ଡର ସଂସ୍ଥାର ଏମ୍‌ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ଭିଏସ୍‌ଏସ୍‌ ନଗରରେ ରହୁଥିବା ଅମିୟ କୁମାର ରଥ(୫୦)। ସୂଚନା ଅନୁଯାୟୀ, ଅମିୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ବିଲ୍ଡର ସଂସ୍ଥା କରି ଜମି କିଣାବିକା ବ୍ୟବସାୟ କରନ୍ତି। ତେବେ ୨୦୧୪ ଏପ୍ରିଲ ୨ରେ ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀରେ ରହୁଥିବା ବିଜୟ ସ୍ବାଇଁ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ଗାଢକଣ ଅଞ୍ଚଳରେ ଏକ ପ୍ଲଟ କିଣିବାକୁ ଯାଇ ସଂସ୍ଥାର ଏମ୍‌ଡି ଅମିୟଙ୍କୁ ପର୍ଯାୟକ୍ରମେ ୧୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ । ତେବେ ଅମିୟ ତାଙ୍କୁ ଏକ ଦସ୍ତଖତ ନ ଥିବା ଏକ ରେଜିଷ୍ଟ୍ରେଶନ କାଗଜ ଦେଇ କିଛିଦିନ ପରେ ପ୍ଲଟର ପ୍ରକୃତ ପଟ୍ଟା ଦେବା ପାଇଁ କହି ଦେଇ ନ ଥିଲେ । ଏ ନେଇ ତାଙ୍କର ସନ୍ଦେହ ଉପୁଜିବାରୁ ବିଜୟ ପ୍ରକୃତ ପ୍ରମାଣ ପତ୍ର ପାଇଁ ସବ୍‌ରେଜିଷ୍ଟାର କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ଏହା ଅନ୍ୟ ଏକ ନାମରେ ଥିଲା ବୋଲି ଜାଣିବାକୁ ପାଇଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ ଅମିୟ ନେଇଥିବା ଟଙ୍କା ନ ଦେବାରୁ ୨୦୧୭ ଅଗଷ୍ଟ ୨୮ରେ ବିଜୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ (ନଂ-୩୭୨/୧୭)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share