Categories: ଜାତୀୟ

ଗୁଜରାଟରେ ପେପର୍‌ ଲିକ୍‌ ମାମଲା: ୧୫ ଗିରଫ

ଗାନ୍ଧୀନଗର,୨୯।୧: ଗୁଜରାଟରେ ପୁଣି ଥରେ ପେପର୍‌ ଲିକ୍‌ ହେବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୯ ଅର୍ଥାତ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ବାତିଲ କରାଯାଇଛି। ଏହି ମାମଲାରେ ଗୁଜରାଟ ଏଟିଏସ୍‌ର ତଦନ୍ତ ଜାରି ରହିଥିବା ବେଳେ ଏଯାବତ ୧୫ଜଣଙ୍କୁ ଗିରଫ କରାଯାଇଛି।

ଗିରଫମାନଙ୍କ ମଧ୍ୟରେ ୫ ଗୁଜରାଟ ବାସିନ୍ଦା ଥିବା ଏଟିଏସ୍‌ କହିଛି। ଏହାଛଡ଼ା ହାଇଦ୍ରାବାଦ, ଓଡ଼ିଶାରେ ଏଟିଏସ୍‌ ପକ୍ଷରୁ ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏଟିଏସ୍‌ କହିଛି।

କହିରଖୁଛୁ, ବଡୋଦରା ପୋଲିସକୁ ବିଳମ୍ବିତ ରାତିରେ ଜଣେ ଯୁବକଙ୍କଠାରୁ ପରୀକ୍ଷାପତ୍ରର କପି ମିଳିଥିଲା। ଉକ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା। ରବିବାର ସକାଳ ୧୧ଟାରେ ପରୀକ୍ଷା ହେବାକୁ ଥିଲା। ହେଲେ ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରକୁ ନ ଯିବାକୁ ସୂଚନା ଦିଆଯାଇଥିଲା। ଏହି ଘଟଣା ହେତୁ ୯ ଲକ୍ଷ ୫୩ ହଜାରରୁ ଅଧିକ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ବ୍ୟର୍ଥ ହୋଇଛି।

Share