୧୫ ପଦବୀ ଅନୁମୋଦିତ, ୫ ବର୍ଷ ହେଲା ଖାଲି

ରାୟଗଡ଼ା ଅଫିସ,୧୧ା୫: ପାହାଡିଆ ଅଞ୍ଚଳ ରାୟଗଡା ଜିଲାରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ନଦୀ, ପୋଖରୀ, ନାଳ ଆଦି ଶୁଖିଲା ପଡ଼ୁଥିବା ବେଳେ କେଉଁଠି ଏସବୁ ପୋତି ହୋଇଗଲାଣି। ଜନସଂଖ୍ୟା ବଢ଼ୁଥିବାରୁ ସେହି ମାତ୍ରାରେ ଅଧିକ ସଂଖ୍ୟକ ବୋରୱେଲ ଖୋଳାଚାଲିଛି। ଏଭଳି ସ୍ଥିତିରେ ପ୍ରକୃତି ପ୍ରଦତ୍ତ ଜଳ ସଂରକ୍ଷଣ କରି ରଖିବା ଲାଗି ଜିଲାରେ ଜଳସମ୍ପଦ ବିଭାଗ ଅଧୀନରେ ଭୂତଳ ଜଳ ଉନ୍ନୟନ ବିଭାଜନ କାର୍ଯ୍ୟାଳୟ ଚାଲିଛି। ହେଲେ ଏହି କାର୍ଯ୍ୟାଳୟରେ କର୍ମଚାରୀ ମରୁଡି ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟ ପାଇଁ ୧୫ ପଦବୀ ଅନୁମୋଦିତ ହୋଇଥିବା ବେଳେ ୨ କର୍ମଚାରୀ ଅଛନ୍ତି।
ରାୟଗଡ଼ା ଜିଲା ଭୂତଳ ଜଳ ଉନ୍ନୟନ ବିଭାଜନ କାର୍ଯ୍ୟାଳୟ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଅବ୍ୟବସ୍ଥାରେ ଚାଲିଛି l କର୍ମଚାରୀ ଅଭାବ ଦର୍ଶାଇ ସବୁବେଳେ କାର୍ଯ୍ୟରେ ଥିବା ଅଧିକାରୀ ଅନ୍ୟ କାମ ଥିବା କହି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଚାଷୀମାନେ ପାଣି ସମସ୍ୟା ନେଇ କାର୍ଯ୍ୟାଳୟକୁ ଗଲେ କାହାରି ଦେଖା ପାଉ ନ ଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟରେ କେବେ ତାଲା ଝୁଲଛି ତ କେବେ ଜଣେ ମାତ୍ର ରହୁଛନ୍ତି। କାର୍ଯ୍ୟାଳୟରେ ମୋଟ ୧୫ଟି ପଦବୀ ଅନୁମୋଦନ କରାଯାଇଛି। ହେଲେ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଖlଲି ପଡ଼ିଥିବା ପଦବୀଗୁଡିକ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ l ଅନ୍ୟପକ୍ଷରେ ଷ୍ଟାଫ୍‌ ଅଭାବ ଦର୍ଶାଇ ଉନ୍ନୟନ କାର୍ଯ୍ୟ ବନ୍ଦ କରାଯାଉଛି। ଜିଲାର ୧୧ଟି ବ୍ଲକର ଭୂତଳ ଜଳସ୍ତର ମାପିବା, କ୍ଷେତ୍ର ରିପୋର୍ଟ ସଂଗ୍ରହ କରିବା, ସର୍ଭେ କରିବା, ଜଳସ୍ତର କାହିଁକି କମୁଛି ଓ କିପରି ଅଧିକ ଜଳ ସଂରକ୍ଷଣ ହୋଇପାରିବ ସେ ନେଇ କାର୍ଯ୍ୟ ହୋଇପାରୁନାହିଁ। ସମ୍ବଲପୁରର ଜଳତତ୍ତ୍ୱବିତ୍‌ ସମୀର କୁମାର ଦ୍ବିବେଦୀ ରାୟଗଡା ଜଳ ଦାୟିତ୍ୱରେ ଅଛନ୍ତି। ସହାୟକ ଇଞ୍ଜିନିୟର ୨ ଟି ଅନୁମୋଦିତ ପଦବୀ ଥିବା ବେଳେ ୨ଟି ଖlଲି, ଭୂବିଜ୍ଞାନୀ ପଦବୀ ଖାଲି, ଭୂତତ୍ତ୍ୱବିତ୍‌ ୩ଟି ପଦବୀ ଅନୁମୋଦନ ହୋଇଥିବା ବେଳେ ସେସବୁ ଖlଲି ରହିଛ। ଡିଭିଜନାଲ ଆକାଉଣ୍ଟାଣ୍ଟ ପଦବୀ ଖାଲି ପନିଥିବା ବେଳେ ଜଣେ ଆସିଷ୍ଟାଣ୍ଟ ଆକାଣ୍ଟାଣ୍ଟ କାର୍ଯ୍ୟ କରୁଛନ୍ତି। ଜେଇ ମେକାନିକାଲ ପଦବୀ, ସିନିୟର କ୍ଲର୍କ, ଷ୍ଟେନୋଗ୍ରାଫର, ହ୍ୟାଣ୍ଡ ଡ୍ରିଲର, ଜୁନିୟର କ୍ଲର୍କ ପଦବୀ ଖାଲି ପଡ଼ିଛି। ଡ୍ରାଇଭର, ପିଅନ ପୋଷ୍ଟ ଖାଲି ପଡ଼ିଥିବା ବେଳେ ଅନୁମୋଦିତ ୩ଟି ୱାଚର ପୋଷ୍ଟରୁ ଜଣେ ମାତ୍ର ରହିଛନ୍ତି। ଏ ନେଇ ରାୟଗଡା ଦାୟିତ୍ୱରେ ଥିବା ସମ୍ବଲପୁରର ଜଳ ତତ୍ତ୍ୱବିତ କହିଛନ୍ତି, ଭୂତଳ ଜଳ ଉନୟନ ବିଭାଜନ କାର୍ଯ୍ୟାଳୟର ଖାଲି ପଦବୀ ପୂରଣ ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ପଦବୀ ପୂରଣ ହେଲେ ଭୁତଳ ଜଳ ସଂରକ୍ଷଣ ଦିଗରେ ସହାୟକ ହେବ। ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, ଦିନକୁ ଦିନ ଅନେକ କାରଣରୁ ଭୂତଳ ଜଳ କମିବାରେ ଲାଗିଛି। ପୋଖରୀ ହେଉ କି ନଦୀ କି ଜଳ ସଂରକ୍ଷଣ ପାଇଁ ଉଚିତ ପଦକ୍ଷେପ ନିଆଯାଉନାହିଁ। ଏବେଠୁ ପଦକ୍ଷେପ ନ ନେଲେ ଆଗାମୀ ପିଢ଼ି ପାଇଁ ଅସୁବିଧା ସୃଷ୍ଟି ହେବ ବୋଲି କହିଛନ୍ତି।

Share