ସାରା ଦେଶରେ ୧୫ ଟନ୍‌ ସୁନା ବିକ୍ରି

ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍‌ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍‌ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ତେବେ ଧନ୍‌ତେରସରେ ଚଳିତ ବର୍ଷ ବିକ୍ରି ଉନ୍ନତ ରହିବ ବୋଲି ଆକଳନ କରାଯାଇଥିଲା। ମଙ୍ଗଳବାର ଜୁଏଲର୍ସଙ୍କ ବିକ୍ରି ବେଶ୍‌ ଉନ୍ନତ ରହିଛି। ଭୁବନେଶ୍ୱର ସମେତ ମୁମ୍ବାଇ, ଦିଲ୍ଲୀ, ଜୟପୁର ଏବଂ ଅହମ୍ମଦାବାଦ ଭଳି ସହରରେ ବିକ୍ରି ଆଶାଜନକ ରହିଥିବା ଶିଳ୍ପ ପକ୍ଷରୁ ସୂଚନା ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ସୁନା ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ଼ ଦେଖାଯାଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ନୂଆଦିଲ୍ଲୀରେ ୧ ହଜାର କୋଟି ଟଙ୍କାର ସୁନା ଗହଣା କାରବାର ହୋଇଥିବା ବେଳେ ଦକ୍ଷିଣ ଭାରତରେ ଏହା ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ୨୦୨୧ ପ୍ରଥମ ୬ ମାସରେ ଭାରତ ୭୦୦ ଟନ୍‌ ସୁନା ଆମଦାନୀ କରିଛି। ଚଳିତ ବର୍ଷ ଅଦ୍ୟାବଧି ସୁନା ଶସ୍ତା ରହିଥିବା ବ୍ୟବସାୟୀମାନେ କହିଛନ୍ତି। ସେହିଭଳି ପାର୍ବଣ ଏବଂ ବିବାହ ଋତୁ ଚାଲିଥିବାରୁ ଲୋକମାନେ ଅଧିକ ପରିମାଣର ସୁନା କ୍ରୟ କରିଛନ୍ତି। ସୁନାଗହଣା ସହ ଗୋଲ୍ଡ କଏନର ବିକ୍ରି ମଧ୍ୟ ଉନ୍ନତ ରହିଥିବା ବ୍ୟବସାୟୀମାନେ କହିଛନ୍ତି।
ଯୋଗୁ ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ଲୋକମାନେ ସୁନାଗହଣା କିଣିବାକୁ ଏତେଟା ଆଗ୍ରହ ଦେଖାଇ ନ ଥିଲେ। ୨୦୧୯ ଏବଂ ୨୦୨୦ରେ ସୁନାଗହଣା ଦର ମଧ୍ୟ ଦ୍ରୁତଭାବେ ବଢ଼ିଥିଲା। ମାତ୍ର ଚଳିତ ବର୍ଷ ସୁନା ଦର ଏତେଟା ବଢ଼ିନାହିଁ। ଟାଟା ଗ୍ରୁପ୍‌ର ବ୍ରାଣ୍ଡ ଟାଇଟାନର ସେପ୍ଟେମ୍ବର ତ୍ରୈମାସ ଆୟ ୭୭% ବଢ଼ିଛି। ସମସ୍ତ ସେଗ୍‌ମେଣ୍ଟ ଭଲ ପ୍ରଦର୍ଶନ କରିବାରୁ ଏଭଳି ସ୍ଥିତି ଦେଖାଯାଇଛି ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏମ୍‌ଏମ୍‌ଟିସି ଏମ୍‌ଡି ବିକାଶ ସିଂ କହିଛନ୍ତି, ଲୋକଙ୍କର କ୍ରୟ ପାର୍ବଣ ଏବଂ ଧନ୍‌ତେରସରେ ବଢ଼ିଥିବାରୁ ଷ୍ଟକ ସରିଯାଇଛି। ଗତ କିଛି ଦିନ ହେବ ଲୋକଙ୍କ ସୁନା କ୍ରୟରେ ବେଶ୍‌ ବୃଦ୍ଧି ଘଟିଛି। ବାଙ୍ଗାଲୋର ଭିତ୍ତିକ ଜଣେ ଜୁଏଲର୍ସ କହିଛନ୍ତି, ସୁନାଗହଣା ବିକ୍ରି ୬୫% ବଢ଼ିଛି। ଉତ୍ପାଦନଠାରୁ ବିକ୍ରି ଅଧିକ ରହିଛି। ଫଳରେ ଷ୍ଟକ୍‌ ସରିଯାଇଛି। କରୋନା ଯୋଗୁ ସୁନାଗହଣା ପ୍ରସ୍ତୁତି ପ୍ରଭାବିତ ରହିଥିଲା ମାତ୍ର ବିକ୍ରି ଚଳିତ ବର୍ଷ ବୃଦ୍ଧି ହୋଇଛି।

Share