Categories: ଖେଳ

ରୋହିତ ଶର୍ମାଙ୍କ ପାଇଁ ଆଜି ଖାସ୍‌ ଦିନ: ପୋଷ୍ଟ ଶେୟାର କରି କହିଲେ…

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆଜିର ଦିନ ଅର୍ଥାତ ଜୁନ୍‌ ୨୩ ବହୁତ ଖାସ୍‌ ଅଟେ। ଆଜିକୁ ଠିକ୍‌ ୧୫ ବର୍ଷ ପୂର୍ବେ ସେ ଆୟାରଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଡେବ୍ୟୁ ପରେ ସେ ଆଉ ପଛକୁ ଫେରିନାହାନ୍ତି। ସେ ତିନି ଫର୍ମାଟରେ ଦେଶ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୫ ବର୍ଷ ପୂରଣ ହେବା ପରେ ରୋହିତ ଏକ ପୋଷ୍ଟ ଶେୟାର କରିଛନ୍ତି। ଟୁଇଟର୍‌ରେ ସେ ଲେଖିଛନ୍ତି, ଭାରତ ପକ୍ଷରୁ ଡେବ୍ୟୁ କରିବା ପରେ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୫ ବର୍ଷ ପୂରଣ ହୋଇଛି। ଏହା ନିଶ୍ଚିନ୍ତ ଭାବେ ଏକ ଏମିତି ଯାତ୍ରା, ଯାହା ଜୀବନ ସାରା ଖୁସି ଦେବ। ମୁଁ କେବଳ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଏହି ଯାତ୍ରାର ଏକ ଅଂଶ ହୋଇଛନ୍ତି। ଯେଉଁମାନେ ମୋତେ ଖେଳାଳି ହେବାରେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ବିଶେଷ ଧନ୍ୟବାଦ। ସମସ୍ତ କ୍ରିକେଟ ପ୍ରେମୀ, ପ୍ରଶଂସକ ଏବଂ ସମାଲୋଚକଙ୍କୁ ଧନ୍ୟବାଦ, ଦଳ ପାଇଁ ଆପଣମାନଙ୍କର ଭଲପାଇବା ଏବଂ ସମର୍ଥନ ହିଁ ଆମକୁ ସମସ୍ତ ବାଧାବିଘ୍ନକୁ ଦୂର କରିବାରେ ସାହାଯ୍ୟ କରେ।
୩୫ ବର୍ଷୀୟ ରୋହିତ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ୪୫ ଟେଷ୍ଟ ଖେଳି ୩୧୩୭ ରନ୍‌, ୨୩୦ ଦିନିକିଆରେ ୯୨୮୩ ରନ୍‌ ଏବଂ ୧୨୫ ଟି-୨୦ ଖେଳି ୩୩୧୩ ରନ୍‌ କରିଛନ୍ତି।

Share