Categories: ଜାତୀୟ

ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…

ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି କମିଟି ସୁପାରିସ କରିଛି। ଏହା ସହିତ ଏହାର ସାମ୍ପ୍ରତିକ କାର୍ଯ୍ୟକାରିତାର କିଛି ତ୍ରୁଟି ଉପରେ ମଧ୍ୟ କମିଟି ଚିନ୍ତା ପ୍ରକାଶ କରିଛି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଛି। ରିପୋର୍ଟରେ ସରକାରଙ୍କୁ ସୁପାରିଶ କରାଯାଇଛି ଯେ ମନରେଗା ଅନ୍ତର୍ଗତ ଉପଲବ୍ଧ କାର୍ଯ୍ୟର ମୋଟ ଦିନ ବୃଦ୍ଧି କରାଯାଉ। କାର୍ଯ୍ୟଦିବସକୁ ବର୍ତ୍ତମାନର ୧୦୦ ଦିନରୁ ୧୫୦ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। କମିଟି କହିଛି ଯେ, ଗ୍ରାମାଞ୍ଚଳରେ ରହୁଥିବା ଅଭାବୀ ଲୋକମାନଙ୍କ ପାଇଁ ମନରେଗା ହେଉଛି ଶେଷ ଆଶା ଓ ଭରସା।

ସମସ୍ତ ରାଜ୍ୟରେ ସମାନ ମଜୁରୀ ଲାଗୁ କରିବାକୁ କମିଟି କହିଛି। ବିଭିନ୍ନ ରାଜ୍ୟରେ ମନରେଗା ମଜୁରୀରେ ପାର୍ଥକ୍ୟ ରହିଛି।

ରିପୋର୍ଟ ଅନୁଯାୟୀ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଦିନକୁ ମଜୁରୀ ୧୯୩ ଟଙ୍କା ରହିଛି। ବିହାର ଏବଂ ଝାଡଖଣ୍ଡରେ ୧୯୮ ଟଙ୍କା, ଉତ୍ତରପ୍ରଦେଶରେ ୨୦୪ ଟଙ୍କା ରହିଛି। ସେହିପରି ପଶ୍ଚିମବଙ୍ଗରେ ୨୧୩ ଟଙ୍କା ଥିବାବେଳେ ହରିୟାଣାରେ ସର୍ବାଧିକ ୩୧୫ ଟଙ୍କା ରହିଛି। ଏହି ଅସମାନତାକୁ ଦୂର କରିବା ଏବଂ ସମଗ୍ର ଦେଶରେ ସମାନ ମଜୁରୀ ଲାଗୁ କରିବା ପାଇଁ କମିଟି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ସୁପାରିଶ କରିଛି। ମୁଦ୍ରାସ୍ଫୀତି ଅନୁଯାୟୀ ମଜୁରୀରେ ବୃଦ୍ଧି ପାଇଁ ମଧ୍ୟ କୁହାଯାଇଛି।

ସମଗ୍ର ଦେଶରେ ସମାନ ମଜୁରୀ ସହିତ ମୁଦ୍ରାସ୍ଫୀତି ସୂଚକାଙ୍କ ସହିତ ଏହାକୁ ଯୋଡିବାକୁ କମିଟି ସୁପାରିଶ କରିଛି। କମିଟି କହିଛି ଯେ ଲୋକଙ୍କ ଦୈନନ୍ଦିନ ଜୀବନର ଖର୍ଚ୍ଚ କ୍ରମାଗତ ଭାବେ ବଢୁଛି। ତେଣୁ ମନରେଗା ଅଧୀନରେ କାମ କରୁଥିବା ଲୋକଙ୍କ ପାଇଁ ପୁରୁଣା ମଜୁରୀରେ ବଞ୍ଚିବା କଷ୍ଟକର ହୋଇ ପଡୁଛି। ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ସୂଚକାଙ୍କ ସହିତ ଯୋଡିବା ଦ୍ୱାରା ମଜୁରୀ ହାର ସ୍ଥିର କରିବାରେ ସହଜ ହୋଇପାରିବ।

 

କମିଟି ଚିନ୍ତା ପ୍ରକଟ କରିଛି ଯେ ମନରେଗା ପାଇଁ ବଜେଟରେ ଆବଣ୍ଟିତ ଅର୍ଥ ବହୁତ କମ ହୋଇଯାଉଛି। ରିପୋର୍ଟ ଅନୁଯାୟୀ, ଗତ ଚାରି-ପାଞ୍ଚଟି ଆର୍ଥିକ ବର୍ଷରେ ଏହା ଦେଖାଯାଇଛି ଯେ ପ୍ରାରମ୍ଭରେ ଅର୍ଥ ଆବଣ୍ଟନ କମ ଏବଂ ପରେ ଆବଶ୍ୟକ ସମୟରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥାଏ।

କମିଟି କହିଛି ଯେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ପାଇଁ ବଜେଟ ଆବଣ୍ଟନ ଏପରି ବ୍ୟବହାରିକ ହେବା ଉଚିତ, ଯାହାଦ୍ୱାରା ବର୍ଷର ମଧ୍ୟଭାଗରେ ରାଜ୍ୟଗୁଡ଼ିକ ପାଇଁ ଅର୍ଥର ଅଭାବ ଆଉ ଯେପରି ରହିବ ନାହିଁ। ଏହା ବ୍ୟତୀତ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ବୟ, ମନରେଗାର ସାମାଜିକ ଅଡିଟ ଏବଂ ମଜୁରୀର ଠିକ ସମୟରେ ପ୍ରଦାନ ଦିଗରେ ସରକାର ପଦକ୍ଷେପ ନେବାକୁ କମିଟି କହିଛି।

Share