୧୫୦ ଘର, ୭୫ ଏକର ପରିବା ଚାଷ ନଷ୍ଟ

ଜଳେଶ୍ୱର, ୨୭।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ନଦୀର ଉତ୍ତରପଟେ ହୋଇଥିବା ବେଳେ ଏହି ବ୍ଲକ ଅଧୀନ ଏକମାତ୍ର ଗଡସାହି ବାଲିଆପାଳ ପଞ୍ଚାୟତ ନଦୀର ଦକ୍ଷିଣପଟେ ରହିଛି। ଏହା ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ। ସୁବର୍ଣ୍ଣରେଖା ନଦୀ ପଞ୍ଚାୟତକୁ ଦୁଇପଟେ ଘେରି ରହିଥିବା ବେଳେ ବନ୍ୟା ହେଲେ ଗମନାଗମନା ବାଧାପ୍ରାପ୍ତ ହେବା ସହିତ ବ୍ୟାପକ କ୍ଷତି ହୋଇଥାଏ। ଗତ ସୁବର୍ଣ୍ଣରେଖା ବନ୍ୟାରେ ପଞ୍ଚାୟତର ୧୫୦ ପରିବାରଙ୍କ ଘର ନଷ୍ଟ ହୋଇଥିବା ବେଳେ ୭୫ ଏକର ଜମିରେ ହୋଇଥିବା ବିଭିନ୍ନ ପରିବା ଚାଷ ସମୂଳେ ନଷ୍ଟ ହୋଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ସେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା
ପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ଅପରପଟେ ରହିଥିବାରୁ ବ୍ଲକ କାର୍ଯ୍ୟାଳୟ, ତହସିଲ, କୋର୍ଟ, ବ୍ୟାଙ୍କ, ଥାନା, କୃଷି କାର୍ଯ୍ୟାଳୟ, ସବ୍‌ରେଜେଷ୍ଟ୍ରି, ରେଳଷ୍ଟେଶନକୁ ଯାତାୟାତରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ବିଶେଷ କରି ବର୍ଷାଦିନରେ ଯାତାୟାତ ଲାଗି ଦୀର୍ଘପଥ ଅତିକ୍ରମ କରି ବାଲିଆପାଳ, ବସ୍ତା ବ୍ଲକ ଡେଇଁ ଜଳେଶ୍ୱର ଆସିବାକୁ ପଡିଥାଏ। ଚଳିତବର୍ଷ ଖାଲୁଆ ଅଞ୍ଚଳ ଦେଇ ବନ୍ୟାପାଣି ପ୍ରବେଶ କରିଥିବାରୁ ୧୦୦ଏକର ଜମିରେ ହୋଇଥିବା କାକୁଡି, ପୋଟଳ ଓ କୁନ୍ଦରୀ ଚାଷ ମଧ୍ୟରୁ ୭୫ ଏକର ଚାଷ ଜମି ଏବେବି ପାଣିରେ ବୁଡିରହିଛି ା କେବଳ ହାସିମପୁର ପଦାଠାରେ ଥିବା ସର୍ବେଶ୍ୱର ରାଉଳ, ରବୀନ୍ଦ୍ର ସାହୁ, ଦେବେନ୍ଦ୍ର ମହାଳିକ, ମହେଶ୍ୱର ଧଳ, ହରି ହାଁସଦା, ସୁମି ମାରାଣ୍ଡି, ଶ୍ରୀମନ୍ତ ହାଁସଦା, ବାଇଧର ହାଁସଦା, ମୁମୁ ମାରାଣ୍ଡି, କୁନା ହେମ୍ବ୍ରମ, ସଞ୍ଜୟ କିସ୍କୁ, ସିଦୁ ହେମ୍ବ୍ରମ, ରାମା ମାରାଣ୍ଡି, ଗଙ୍ଗାଧର ମୁର୍ମୁ, ବାଇନ ମାରାଣ୍ଡି, ଗଣେଶ ମାରାଣ୍ଡି, ସନ୍ତୋଷ ମୁର୍ମୁ, ନାରାୟଣ ମାରାଣ୍ଡିଙ୍କ ଘର ଭୁଶୁଡି ପଡିଛି ା ବନ୍ୟା ଆସିବା ଦିନ ଏମାନେ ଆଶ୍ରୟକେନ୍ଦ୍ରକୁ ଯାଇଥିବା ବେଳେ ଦୁଇଦିନ ପରେ ଆସି ସବୁକିଛି ନଷ୍ଟ ହୋଇଯାଇଥିବା ଦେଖିଥିଲେ। ଏବେ ବି ଉକ୍ତ ପରିବାର ରାସ୍ତାକଡରେ ପଲିଥିନ ଟାଙ୍ଗି ବସବାସ କରୁଛନ୍ତି।