ତାଲିବାନ୍‌ କବଳରୁ ୧୫୦ ଭାରତୀୟ ମୁକ୍ତ

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଆମେ କାହାକୁ କିଛି କରିବୁ ନାହିଁ। କେହି ଆତଙ୍କିତ ହେବା ଦରକାର ନାହିଁ ବୋଲି ଡିଣ୍ଡିମ ପିଟୁଥିବା ତାଲିବାନ୍‌ର ବର୍ବର ଚେହେରା ଶନିବାର ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ବସବାସ କରୁଥିବା ହିନ୍ଦୁ ଓ ଶିଖ୍‌ ସମୁଦାୟର ପ୍ରାୟ ୧୫୦ ଜଣ ଭାରତ ଆସିବାକୁ କାବୁଲ ବିମାନବନ୍ଦର ଅଭିମୁଖେ ଯାଉଥିବାବେଳେ ତାଲିବାନ୍‌ ଫାଇଟରମାନେ ସେମାନଙ୍କୁ ଅପହରଣ କରି ନେଇଯାଇଥିଲେ। ପରେ ଏୟାରପୋର୍ଟ ନିକଟସ୍ଥ ଏକ ଅଜ୍ଞାତ ସ୍ଥାନରେ ଯାତ୍ରା ସମ୍ପର୍କିତ କାଗଜପତ୍ର ଯାଞ୍ଚ କରି ଆତଙ୍କବାଦୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ। ତାଲିବାନ୍‌ ସେମାନଙ୍କର କିଛି କ୍ଷତି କରି ନ ଥିଲେ ହେଁ ଏହାକୁ ନେଇ ଭାରତରେ ଚିନ୍ତା ବଢ଼ିଯାଇଛି। କାରଣ ଏବେ ମଧ୍ୟ ପଡ଼ୋଶୀ ଦେଶରେ ଅନେକ ଭାରତୀୟ ଫସିରହିଛନ୍ତି।
ସ୍ଥାନୀୟ ଗଣମାଧ୍ୟମ କାବୁଲ ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ତାଲିବାନ୍‌ ଏହି ଭାରତୀୟମାନଙ୍କୁ ଅପହରଣ କରିନେଇଥିଲା। ସେମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲା। ସାମ୍ପ୍ରତିକ ସ୍ଥିତିରେ ଏଭଳି ଆଚରଣ ଅସ୍ବାଭାବିକ ନୁହେଁ। ତେବେ ଅପହରଣ ଅଭିଯୋଗକୁ ଗୁଜବ କହି ତାଲିବାନ ଖଣ୍ଡନ କରିଛି। ଅନ୍ୟ ଏକ ଗଣମାଧ୍ୟମ ସଂସ୍ଥା ଏଇତଲାଲାତ୍ରୋଜ୍‌କୁ ସାକ୍ଷାତ୍‌କାର ଦେଇ ତାଲିବାନ୍‌ ମୁଖପାତ୍ର ଅହମଦୁଲ୍ଲା ଓ୍ବସେକ୍‌ କହିଛନ୍ତି, ଅପହରଣ ଖବର ସମ୍ପୂର୍ଣ୍ଣ ମିଥ୍ୟା। ଆମେ କାହାକୁ ଅପହରଣ କରିନାହୁଁ। ବିମାନବନ୍ଦରରେ ପହଞ୍ଚତ୍ବା ପାଇଁ ବିଦେଶୀ ନାଗରିକଙ୍କୁ ସୁରକ୍ଷା ଦେଉଛୁ। ସମସ୍ତ ବିଦେଶୀ କିପରି ନିଜ ନିଜ ଦେଶକୁ ସୁରକ୍ଷିତ ଭାବେ ଫେରିପାରିବେ ଆମେ ତାହା ସୁନିଶ୍ଚିତ କରୁଛୁ। ଏହି କ୍ରମରେ ୧୫୦ ଭାରତୀୟଙ୍କୁ ଏସ୍‌କର୍ଟ ଦେଇ ବିମାନବନ୍ଦରରେ ପହଞ୍ଚାଇଥିଲୁ। ଇତିମଧ୍ୟରେ ପ୍ରାୟ ୮୦ ଭାରତୀୟ କାବୁଲ ଛାଡ଼ି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉକ୍ତ ବିମାନ ତାଜିକିସ୍ତାନର ଦୁଶନବେ ଦେଇ ଦିଲ୍ଲୀ ନିକଟସ୍ଥ ହିଣ୍ଡୋନ ଏୟାରବେସ୍‌ରେ ଶନିବାର ସନ୍ଧ୍ୟାରେ ଅବତରଣ କରିଛି। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରଠାରୁ ଭାରତ ପକ୍ଷରୁ ଅଦ୍ୟାବଧି ମୋଟ ୨୦୦ ଜଣଙ୍କୁ ଦୁଇଟି ସି-୧୭ ବିମାନରେ ଦେଶକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରେ କାବୁଲସ୍ଥିତ ଭାରତୀୟ ଦୂତାବାସ ଓ ଅନ୍ୟ ଅଧିକାରୀମାନେ ଅଛନ୍ତି। ସୋମବାର ୪୦ ଓ ମଙ୍ଗଳବାର ୧୫୦ ଜଣ ଭାରତୀୟ ଫେରିଥିଲେ। ପ୍ରକାଶ ଯେ, କାବୁଲ ଏୟାରପୋର୍ଟରେ ୫,୦୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ସେମାନେ ବିଭିନ୍ନ ଦେଶର ନାଗରିକଙ୍କୁ ଏୟାରଲିଫ୍ଟ କରି ପଠାଉଛନ୍ତି। ଏସବୁ ଭିତରେ ଗୁଳିମାଡ଼ ଓ ଦଳାଚକଟାରେ ୧୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି।

Share