ବିଶାଖାପାଟଣା: ବଙ୍ଗୋପସାଗରରେ ମାତ୍ର ୫ ଦିନ ମଧ୍ୟରେ ୧୫୦ କି.ମି ଦୂରତା ପହଁରି ଆନ୍ଧ୍ରପ୍ରଦେଶର ସନ୍ତରଣକାରୀ ଗୋଲି ଶ୍ୟାମଲା(୫୨) ଇତିହାସ ରଚିଛନ୍ତି। ପ୍ରଥମ ଏସୀୟ ମହିଳା ଭାବେ ତାଙ୍କୁ ଏହି ସଫଳତା ମିଳିଛି। ଏହି ଯାତ୍ରାକୁ ଶ୍ୟାମଲା ବିଶାଖାପାଟଣା ଉପକୂଳରୁ ଆରମ୍ଭ କରି କାକିନାଡା ସମୁଦ୍ର ଉପକୂଳରେ ଶେଷ କରିଛନ୍ତି। ସେ ସମୁଦ୍ର ମଧ୍ୟରେ ପହଁରି ଦୈନିକ ହାରାହାରି ୩୦ କି.ମି. ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରୁଥିଲେ। ନୂଆ ବର୍ଷ ଉପଲକ୍ଷେ ଏହି ଯାତ୍ରା ଆରମ୍ଭ କରିଥିବା ଶ୍ୟାମଲା ରବିବାର କାକିନାଡ଼ା ଉପକୂଳରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ବିଧାୟକ ଚିନାରାଜପ୍ପା ଏବଂ କାକିନାଡ଼ା ମ୍ୟୁନିସିପାଲିଟି କମିଶନର ଭବାନା ବାସିଷ୍ଟାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଶ୍ୟାମଲାଙ୍କର ଜୋରଦାର ସ୍ବାଗତ କରିଥିଲେ।
କାକିନାଡ଼ା ଜିଲା ସମରଲକୋଟା ଗ୍ରାମର ବାସିନ୍ଦା ଶ୍ୟାମାଲାଙ୍କ ପାଇଁ ‘କରୋମଣ୍ଡୋଲ ଓଡିସେ ମହାସାଗର ସନ୍ତରଣ ସଙ୍ଗଠନ’ ଏହି ଯାତ୍ରାର ଆୟୋଜନ କରିଥିଲା। ଡାକ୍ତର ଏବଂ ସ୍କୁବା ଡାଇଭରଙ୍କ ସମେତ ଏକ ଡଜନରୁ ଅଧିକ ବିଶେଷଜ୍ଞଙ୍କ ଟିମ୍ ଶ୍ୟାମଲାଙ୍କ ଏହି ଯାତ୍ରାବେଳେ ତାଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଉପରେ ନଜର ରଖିଥିଲେ।
ସଫଳତା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶ୍ୟାମଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷରେ ଶ୍ୟାମଲା ସାହସର ସହ ବିଜୟୀ ହୋଇଛନ୍ତି। ତାଙ୍କର ଏହି ଯାତ୍ରା ଭାରତର ନାରୀ ଶକ୍ତିକୁ ଦୃଢ଼ୀଭୂତ କରିବା ସହ ଅନେକ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛି। ଏହି ଅବିଶ୍ୱସନୀୟ ଯାତ୍ରା ଶ୍ୟାମଲାଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରଦର୍ଶନ କରିବା ସହ ବୟସ ଆଗରେ ହାର ନ ମାନିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଚନ୍ଦ୍ରବାବୁ କହିଛନ୍ତି।