Categories: ଜାତୀୟ

ପୀଡ଼ିତାଙ୍କ ମୃତଦେହରୁ ମିଳିଲା ୧୫୦ ମି.ଗ୍ରା. ସିମେନ, କୋଲକାତାରେ ସିବିଆଇ ଟିମ୍‌ର ତନାଘନା

କୋଲକାତା, ୧୪।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲ୍ସର ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ପୀଡ଼ିତାଙ୍କ ମୃତଦେହରୁ ୧୫୦ ମିଲିଗ୍ରାମର ସିମେନ(ଶୁକ୍ରାଣୁ) ମିଳିଥିବା ନେଇ ପୋଷ୍ଟମର୍ଟମ କରୁଥିବା ଡାକ୍ତର ସୁବର୍ଣ୍ଣା ଗୋସ୍ବାମୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୁବର୍ଣ୍ଣା କହିଛନ୍ତି, ପୀଡ଼ିତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବାବେଳେ ତାଙ୍କଠାରେ ଯୌନ ନିର୍ଯାତନାର ସ୍ପଷ୍ଟ ଲକ୍ଷଣ ଥିବା ଜଣାପଡ଼ିଛି। ଅନେକ ଆଘାତର ଚିହ୍ନ ରହିଛି, ଯାହା ତାଙ୍କୁ ନିର୍ଦ୍ଦୟ ଭାବେ ଆକ୍ରମଣ କରାଯାଇଥିବା ନେଇ ସୂଚିତ କରୁଛି।

ପୀଡ଼ିତାଙ୍କ କାନ ଏବଂ ଓଠରେ ଆଘାତ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ପୀଡ଼ିତାଙ୍କ ଶରୀରରୁ ୧୫୦ ମିଲିଗ୍ରାମର ସିମେନ ମିଳିଥିବାରୁ ତାଙ୍କୁ ବଳାତ୍କାରରେ ଏକାଧିକ ବ୍ୟକ୍ତିଙ୍କର ସମ୍ପୃକ୍ତି ରହିଥିବା ସେ ଆଶଙ୍କା କରିଛନ୍ତି। ଡାକ୍ତର ସୁବର୍ଣ୍ଣାଙ୍କ ବୟାନରୁ ମହିଳା ଟ୍ରେନି ଡାକ୍ତରଙ୍କ ସହ ଗଣବଳାତ୍କାର ହୋଇଥିବା ନେଇ ସନ୍ଦେହ ବଢ଼ିଛି ଏବଂ କୋଲକାତା ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଏହି ମାମଲାରେ କୋଲକାତା ପୋଲିସ ପୀଡ଼ିତାଙ୍କ ମୃତଦେହ ଜବତ ହେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା। ପୀଡ଼ିତାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କେବଳ ଜଣେ ବ୍ୟକ୍ତି ସାମିଲ ଥିବା କୋଲକାତା ପୋଲିସ କହିଥିଲା। ତେବେ ମଙ୍ଗଳବାର କୋଲକାତା ଉଚ୍ଚ ନ୍ୟାୟାଳୟ ଏହି ମାମଲାର ତଦନ୍ତଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଥିଲେ।

ତେବେ ସିବିଆଇ ବୁଧବାରଠାରୁ ଏହି ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି। ଏନେଇ ବୁଧବାର ସକାଳେ ସିବିଆଇର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍‌ କୋଲକାତା ପହଞ୍ଚିଛି। ଏହି ଟିମ୍‌ରେ ଡାକ୍ତରୀ ଏବଂ ଫରେନ୍ସିକ ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି। ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଅଧିକାରୀମାନଙ୍କୁ ୩ଟି ଗ୍ରୁପ୍‌ରେ ଭାଗକରାଯାଇଛି। ଗୋଟିଏ ଗ୍ରୁପ୍‌ ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲ୍ସର ସେମିନାର ହଲ୍‌ ଗସ୍ତ କରିବେ ଯେଉଁଠାରେ ଟ୍ରେନି ଡାକ୍ତରଙ୍କ ମୃତଦେହ ଜବତ ହୋଇଥିଲା। ଉକ୍ତ ରାତିରେ ଡ୍ୟୁଟିରେ ଥିବା ବ୍ୟକ୍ତି, ଡାକ୍ତର ଓ ମାମଲାରେ ସାକ୍ଷୀଙ୍କର ବୟାନ ରେକର୍ଡ ଏହି ଟିମ୍‌ କରିବ।

ଆଉ ଏକ ଗ୍ରୁପ୍‌ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ କରାଇ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ବିଚାରବିଭାଗୀୟ ହାଜତରେ ନେବାକୁ ଆବେଦନ କରିବ। ସେହିପରି ତୃତୀୟ ଗ୍ରୁପ୍‌ କୋଲକତା ପୋଲିସ ସହ ସମନ୍ବୟ ରକ୍ଷା କରି ତଦନ୍ତ ପ୍ରକ୍ରିୟା ଚଳାଇବ। ସୂଚନାଯୋଗ୍ୟ, ଗତ ୯ରେ ଆର୍‌.ଜି. କର ମେଡିକାଲ କଲେଜର ସେମିନାର ହଲ୍‌ରୁ ଜଣେ ୩୧ ବର୍ଷୀୟା ମହିଳା ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧ ନଗ୍ନ ମୃତଦେହକୁ କୋଲକାତା ପୋଲିସ ଜବତ କରିଥିଲା।

Share