Posted inଫୁରସତ

ପ୍ରଥମ ରୋଜଗାରର ୧୫୦ ଟଙ୍କା ବି କୋଟିଏ ଟଙ୍କା ପରି ଲାଗୁଥିଲା: ସୁଚିତ୍ରା ମିଶ୍ର

ଜୀବନର ପ୍ରଥମ ରୋଜଗାରର ପୁଲକ ସତରେ କ’ଣ ବଖାଣିହୁଏ? ସେଦିନର ସେ ଅନୁଭବ ଏବେ ବି ହୃଦୟରେ ଶିହରଣ ଖେଳାଏ। ଅତୀତର ସେଇ ଅପୂର୍ବ ମୁହୂର୍ତ୍ତଟି ଉଭା ହୋଇଯାଏ ଆଖି ଆଗରେ। ସେତେବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅର୍ଥନୀତି ସମ୍ମାନର ଛାତ୍ରୀ ଥିଲି ମୁଁ। ସ୍କୁଲରେ ପଢ଼ିବାବେଳୁ ଲେଖାଲେଖି କରୁଥିଲି। ମନପବନ, ବାରମଜା, ମୀନାବଜାର ଆଦି ପତ୍ରିକାରେ ନିୟମିତ ପ୍ରକାଶ ପାଉଥିଲା ମୋ ଲେଖା। ସମ୍ବଲପୁରରୁ ପ୍ରକାଶିତ ହୀରାଖଣ୍ଡର ସାହିତ୍ୟ ପୃଷ୍ଠାରେ ବି ମୋ ଲେଖା ସ୍ଥାନ ପାଉଥିଲା। ବିଜ୍ଞାନର ଅଗ୍ରଗତି ଫଳରେ ରେଡିଓରୁ ଦୂରଦର୍ଶନକୁ ପ୍ରସରି ଯାଇଥିଲା ଆମର ଯାତ୍ରା। ସେତେବେଳେ ନୂଆ କରି ଦୂରଦର୍ଶନ ଆରମ୍ଭ ହୋଇଥାଏ ସମ୍ବଲପୁରରେ। କଳାଧଳା ଟେଲିଭିଜନରେ ନାଟକ, ଚଳଚ୍ଚିତ୍ର, କୃଷି ଦର୍ଶନ ଆଦି କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା ନିର୍ଦ୍ଦିଷ୍ଟ କିଛି ସମୟ ପାଇଁ। ଦୂରଦର୍ଶନରେ ନାଟକ ଦେଖି ମୋର ବି ନାଟକ ଲେଖିବାକୁ ମନହେଲା। ସତରେ କ’ଣ ମୋ ରଚିତ ନାଟକ ଦୂରଦର୍ଶନରେ ପ୍ରସାରିତ ହେବ? ଏମିତି ମଧୁର ସ୍ବପ୍ନଟିଏ ବେଳକୁ ବେଳ ଆଚ୍ଛନ୍ନ କରି ରଖିଲା ମତେ। ଲେଖିଲି କିଶୋର କିଶୋରୀମାନଙ୍କ ପାଇଁ ନାଟକଟିଏ- ‘ଅନ୍ଧାର ପରେ’। ଘରେ କାହାକୁ କିଛି ନ କହି ନାଟକଟି ପଠେଇଦେଲି ଦୂରଦର୍ଶନ କେନ୍ଦ୍ରକୁ। ମୋ ରଚିତ ନାଟକଟି ପ୍ରସାରିତ ହେବା ପାଇଁ ମନୋନୀତ ହେବା ନେଇ ଚିଠି ପାଇଲି। ସେଦିନ ଘରେ ଏକଥା କହିଲି ଓ ସମସ୍ତଙ୍କର ପ୍ରଶଂସା ସାଉଁଟିଲି। ସୁରେଶ ଚନ୍ଦ୍ର ଶେଠଙ୍କ ନିର୍ଦ୍ଦେଶନାରେ ନାଟକଟି ପ୍ରସାରିତ ହେବାପାଇଁ ପ୍ରସ୍ତୁତ ହୋଇଗଲା। ମୋ ପାଖକୁ ଆସିଲା ୧୫୦ ଟଙ୍କାର ଚେକ୍‌ଟିଏ ଦୂରଦର୍ଶନ ତରଫରୁ। ତତ୍‌ସଂଲଗ୍ନ ଏକ କାଗଜରେ (ଭାଉଚର୍‌ରେ) ୨୦ ପଇସାର ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ଡାକରେ ପଠେଇଦେବା ପାଇଁ ନିର୍ଦ୍ଦେଶ ଥିଲା। ଖୁବ୍‌ ଉତ୍ସାହିତ ଲାଗୁଥିଲା। ଡାକରେ କାଗଜଟିକୁ ପଠେଇ ଘରକୁ ଫେରି ସେଇଦିନ ହିଁ ଅଧାଲେଖା ନାଟକ ‘କୁଳବଧୂ’କୁ ଶେଷ କରି ପକେଇଥିଲି। ସେଇ ନାଟକଟି ମଧ୍ୟ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ଅଳ୍ପ କିଛି ମାସର ବ୍ୟବଧାନ ପରେ। ପ୍ରଥମ ରୋଜଗାରର ପୁଲକ ଯେ ମତେ ଆଉ ଗୋଟିଏ ନାଟକ ଲେଖେଇ ଦେଇଥିଲା ତା’ ନୁହେଁ- କିନ୍ତୁ ସେ ଅପୂର୍ବ ଅନୁଭୂତି ମୋ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଥିଲା ନିଶ୍ଚୟ। ଆଉ ତାହା ହିଁ ମୋ ହାତର କଲମକୁ ଚଳଚଞ୍ଚଳ କରିଥିଲା। ୧୫୦ ଟଙ୍କାର ଚେକ୍‌ଟି ବାପାଙ୍କ ହାତକୁ ବଢ଼େଇ ଦେବାବେଳେ, ମୋର କୃତିତ୍ୱରେ ବାପାଙ୍କ ମୁହଁରେ ଝଲସି ଉଠିଥିବା ସେହି ଖୁସିଟି, ଏବେବି ମୋ ଭିତରେ ମିଠା ଚମକଟିଏ ଖେଳେଇଦିଏ। ସେଦିନ ବାପା କିଛି କହିବା ଆଗରୁ ମୋ ବୋଉ କହିଥିଲା, ‘ତୋ ପଇସା ଇଏ। ତୋର ଯେମିତି ଇଚ୍ଛା ଖର୍ଚ୍ଚ କରିବୁ।’ ବାପାଙ୍କ ଉଦ୍ଦେଶ୍ୟରେ କହିଥିଲା, ‘କାଲି ସେ ଚେକ୍‌ ବ୍ୟାଙ୍କରେ ଜମାକରି ଝିଅକୁ ତା’ ଟଙ୍କା ଦେଇଦେବ। ସେ ଖର୍ଚ୍ଚ କରିବ।’ ବୋଉ ମୁହଁରେ ବି ଝଲସୁଥିଲା ମିଠା ହସଟିଏ। ୧୫୦ ଟଙ୍କା ସେତେବେଳେ କୋଟିଏ ଟଙ୍କା ପରି ଲାଗୁଥିଲା ମୋତେ। ସେ ଟଙ୍କାରେ ମୋ ମନ ପସନ୍ଦର ବେଶ ଗୁଡାଏ ଗପ ବହି କିଣିଥିଲି। ମୋ ପ୍ରଥମ ରୋଜଗାରର ପୁଲକ ମୋତେ ସାହିତ୍ୟର ପୃଥିବୀରେ ଟିକେ ଆଗକୁ ବଢ଼ିଯିବା ପାଇଁ ପ୍ରେରଣା ଯୋଗାଇଥିଲା ଆଉ ଆତ୍ମପ୍ରତ୍ୟୟର ମଞ୍ଜିଟିଏ ବୁଣି ଦେଇଥିଲା ମୋ ଭିତରେ; ଯାହା ଧୀରେ ଧୀରେ ଅଙ୍କୁରୋଦ୍‌ଗମ ହୋଇ ଡାଳପତ୍ର ମେଲେଇବାର ପ୍ରୟାସରେ ଅଛି ଏଯାଏଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ...

୬୩ ବର୍ଷ ପରେ ସ୍କୁଲରୁ ମିଳିଲା ୧୯୫୭ରେ ହଜିଥିବା ଛାତ୍ରୀଙ୍କ ପର୍ସ, ଏହା ଭିତରେ ଥିବା ଜିନିଷ ଆଶ୍ଚର୍ଯ୍ୟ କଲା ସଭିଙ୍କୁ!

ବେଳେ ବେଳେ ଆମର ଏମିତି କିଛି ଛୋଟମୋଟ ଜିନିଷଗୁଡିକ ହଜି ଯାଇଥାଏ ଯାହାକୁ ଆମେ ବହୁତ ଖୋଜୁ, କିନ୍ତୁ ଯେତେବେଳେ ଆମେ ସେଗୁଡ଼ିକୁ ପାଉ ସେତେବେଳେ...

ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ

ମୁମ୍ବାଇ,୨୮ା୬: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କର ଲେଡି ଲଭ୍‌ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି।...

ଉତ୍କଳୀୟ କାରିଗରଙ୍କ ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ’:ଜାଣନ୍ତୁ କିଛି ଅଜଣା କଥା

କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଚରମ ନିଦର୍ଶନ। ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏକ ଦୁର୍ମୂଲ୍ୟ ତଥା ଦୁଃସାଧ୍ୟ ବିଭବ ଭାବରେ ପ୍ରତୀୟମାନ ହୁଏ।...

୨୦୧୮ରୁ ଅନ୍‌ଲାଇନ୍‌ରେ ଅର୍ଡର କରିଛନ୍ତି ଚପଲ, ଏଯାଏ ହୋଇନି ଡେଲିଭରି

ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବ୍ୟକ୍ତି ଜଣକ ୨୦୧୮ରୁ ଅନ୍‌ଲାଇନ୍‌ରେ ଏକ ଚପଲ ଅର୍ଡର...

ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।...

ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର

ଶିକାଗୋ: ସାଧାରଣତଃ ଅପରେଶନ୍‌ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍‌ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri