ଜୀବନର ପ୍ରଥମ ରୋଜଗାରର ପୁଲକ ସତରେ କ’ଣ ବଖାଣିହୁଏ? ସେଦିନର ସେ ଅନୁଭବ ଏବେ ବି ହୃଦୟରେ ଶିହରଣ ଖେଳାଏ। ଅତୀତର ସେଇ ଅପୂର୍ବ ମୁହୂର୍ତ୍ତଟି ଉଭା ହୋଇଯାଏ ଆଖି ଆଗରେ। ସେତେବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅର୍ଥନୀତି ସମ୍ମାନର ଛାତ୍ରୀ ଥିଲି ମୁଁ। ସ୍କୁଲରେ ପଢ଼ିବାବେଳୁ ଲେଖାଲେଖି କରୁଥିଲି। ମନପବନ, ବାରମଜା, ମୀନାବଜାର ଆଦି ପତ୍ରିକାରେ ନିୟମିତ ପ୍ରକାଶ ପାଉଥିଲା ମୋ ଲେଖା। ସମ୍ବଲପୁରରୁ ପ୍ରକାଶିତ ହୀରାଖଣ୍ଡର ସାହିତ୍ୟ ପୃଷ୍ଠାରେ ବି ମୋ ଲେଖା ସ୍ଥାନ ପାଉଥିଲା। ବିଜ୍ଞାନର ଅଗ୍ରଗତି ଫଳରେ ରେଡିଓରୁ ଦୂରଦର୍ଶନକୁ ପ୍ରସରି ଯାଇଥିଲା ଆମର ଯାତ୍ରା। ସେତେବେଳେ ନୂଆ କରି ଦୂରଦର୍ଶନ ଆରମ୍ଭ ହୋଇଥାଏ ସମ୍ବଲପୁରରେ। କଳାଧଳା ଟେଲିଭିଜନରେ ନାଟକ, ଚଳଚ୍ଚିତ୍ର, କୃଷି ଦର୍ଶନ ଆଦି କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା ନିର୍ଦ୍ଦିଷ୍ଟ କିଛି ସମୟ ପାଇଁ। ଦୂରଦର୍ଶନରେ ନାଟକ ଦେଖି ମୋର ବି ନାଟକ ଲେଖିବାକୁ ମନହେଲା। ସତରେ କ’ଣ ମୋ ରଚିତ ନାଟକ ଦୂରଦର୍ଶନରେ ପ୍ରସାରିତ ହେବ? ଏମିତି ମଧୁର ସ୍ବପ୍ନଟିଏ ବେଳକୁ ବେଳ ଆଚ୍ଛନ୍ନ କରି ରଖିଲା ମତେ। ଲେଖିଲି କିଶୋର କିଶୋରୀମାନଙ୍କ ପାଇଁ ନାଟକଟିଏ- ‘ଅନ୍ଧାର ପରେ’। ଘରେ କାହାକୁ କିଛି ନ କହି ନାଟକଟି ପଠେଇଦେଲି ଦୂରଦର୍ଶନ କେନ୍ଦ୍ରକୁ। ମୋ ରଚିତ ନାଟକଟି ପ୍ରସାରିତ ହେବା ପାଇଁ ମନୋନୀତ ହେବା ନେଇ ଚିଠି ପାଇଲି। ସେଦିନ ଘରେ ଏକଥା କହିଲି ଓ ସମସ୍ତଙ୍କର ପ୍ରଶଂସା ସାଉଁଟିଲି। ସୁରେଶ ଚନ୍ଦ୍ର ଶେଠଙ୍କ ନିର୍ଦ୍ଦେଶନାରେ ନାଟକଟି ପ୍ରସାରିତ ହେବାପାଇଁ ପ୍ରସ୍ତୁତ ହୋଇଗଲା। ମୋ ପାଖକୁ ଆସିଲା ୧୫୦ ଟଙ୍କାର ଚେକ୍ଟିଏ ଦୂରଦର୍ଶନ ତରଫରୁ। ତତ୍ସଂଲଗ୍ନ ଏକ କାଗଜରେ (ଭାଉଚର୍ରେ) ୨୦ ପଇସାର ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ଡାକରେ ପଠେଇଦେବା ପାଇଁ ନିର୍ଦ୍ଦେଶ ଥିଲା। ଖୁବ୍ ଉତ୍ସାହିତ ଲାଗୁଥିଲା। ଡାକରେ କାଗଜଟିକୁ ପଠେଇ ଘରକୁ ଫେରି ସେଇଦିନ ହିଁ ଅଧାଲେଖା ନାଟକ ‘କୁଳବଧୂ’କୁ ଶେଷ କରି ପକେଇଥିଲି। ସେଇ ନାଟକଟି ମଧ୍ୟ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ଅଳ୍ପ କିଛି ମାସର ବ୍ୟବଧାନ ପରେ। ପ୍ରଥମ ରୋଜଗାରର ପୁଲକ ଯେ ମତେ ଆଉ ଗୋଟିଏ ନାଟକ ଲେଖେଇ ଦେଇଥିଲା ତା’ ନୁହେଁ- କିନ୍ତୁ ସେ ଅପୂର୍ବ ଅନୁଭୂତି ମୋ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିଥିଲା ନିଶ୍ଚୟ। ଆଉ ତାହା ହିଁ ମୋ ହାତର କଲମକୁ ଚଳଚଞ୍ଚଳ କରିଥିଲା। ୧୫୦ ଟଙ୍କାର ଚେକ୍ଟି ବାପାଙ୍କ ହାତକୁ ବଢ଼େଇ ଦେବାବେଳେ, ମୋର କୃତିତ୍ୱରେ ବାପାଙ୍କ ମୁହଁରେ ଝଲସି ଉଠିଥିବା ସେହି ଖୁସିଟି, ଏବେବି ମୋ ଭିତରେ ମିଠା ଚମକଟିଏ ଖେଳେଇଦିଏ। ସେଦିନ ବାପା କିଛି କହିବା ଆଗରୁ ମୋ ବୋଉ କହିଥିଲା, ‘ତୋ ପଇସା ଇଏ। ତୋର ଯେମିତି ଇଚ୍ଛା ଖର୍ଚ୍ଚ କରିବୁ।’ ବାପାଙ୍କ ଉଦ୍ଦେଶ୍ୟରେ କହିଥିଲା, ‘କାଲି ସେ ଚେକ୍ ବ୍ୟାଙ୍କରେ ଜମାକରି ଝିଅକୁ ତା’ ଟଙ୍କା ଦେଇଦେବ। ସେ ଖର୍ଚ୍ଚ କରିବ।’ ବୋଉ ମୁହଁରେ ବି ଝଲସୁଥିଲା ମିଠା ହସଟିଏ। ୧୫୦ ଟଙ୍କା ସେତେବେଳେ କୋଟିଏ ଟଙ୍କା ପରି ଲାଗୁଥିଲା ମୋତେ। ସେ ଟଙ୍କାରେ ମୋ ମନ ପସନ୍ଦର ବେଶ ଗୁଡାଏ ଗପ ବହି କିଣିଥିଲି। ମୋ ପ୍ରଥମ ରୋଜଗାରର ପୁଲକ ମୋତେ ସାହିତ୍ୟର ପୃଥିବୀରେ ଟିକେ ଆଗକୁ ବଢ଼ିଯିବା ପାଇଁ ପ୍ରେରଣା ଯୋଗାଇଥିଲା ଆଉ ଆତ୍ମପ୍ରତ୍ୟୟର ମଞ୍ଜିଟିଏ ବୁଣି ଦେଇଥିଲା ମୋ ଭିତରେ; ଯାହା ଧୀରେ ଧୀରେ ଅଙ୍କୁରୋଦ୍ଗମ ହୋଇ ଡାଳପତ୍ର ମେଲେଇବାର ପ୍ରୟାସରେ ଅଛି ଏଯାଏଁ।