ପାକିସ୍ତାନରେ ୧୫୦ ବର୍ଷର ମନ୍ଦିର ଭାଙ୍ଗିଲା

କରାଚି, ୧୭।୭: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୨ଟି ମନ୍ଦିର ଉପରେ ଆକ୍ରମଣ ହୋଇଛି। ଶନିବାର କରାଚିଠାରେ ଥିବା ୧୫୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ୨୪ ଘଣ୍ଟା ନ ପୁରୁଣୁ ସିନ୍ଧ ପ୍ରଦେଶର କାଶ୍ମୋରେ ଥିବା ଆଉ ଏକ ହିନ୍ଦୁ ମନ୍ଦିର ଉପରେ ରବିବାର କେତେଜଣ ଡକାୟତ ରକେଟ୍‌ ଲଞ୍ଚରରେ ଆକ୍ରମଣ କରିଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ଡକାୟତମାନେ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରକେଟ୍‌ ଲଞ୍ଚରରେ ନିଆଁ ନ ଲାଗିବାରୁ ଡକାୟତଙ୍କ ଯୋଜନା ପଣ୍ଡ ହୋଇଥିଲା। ଘଟଣା ନେଇ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଛି। ଉକ୍ତ ମନ୍ଦିରଟି ବର୍ଷକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲାଯାଉଥିବା କାଶ୍ମୋରେ କନ୍ଧକୋଟ ଏସ୍‌ଏସ୍‌ପ ଇରଫାନ୍‌ ସାମୋ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ କେତେଜଣ ଅପରାଧୀ ପ୍ରବୃତ୍ତିର ଲୋକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଥିବାବେଳେ ସିନ୍ଧ ଗୃହ ବିଭାଗ ଘଟଣାର ତଦନ୍ତ କରୁ ବୋଲି ପାକିସ୍ତାନ ମନବାଧିକାର ଆୟୋଗ ପକ୍ଷରୁ ଦାବି କରାଯାଇଛି।
ବହୁ ପୁରୁଣା ଓ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ମନ୍ଦିର ଭଙ୍ଗାଯାଇଥିବା କୁହାଯାଉଛି। ଶୁକ୍ରବାର ରାତିରେ ବିପୁଳ ପୋଲିସ ଫୋର୍ସ ଉପସ୍ଥିତିରେ ବୁଲ୍‌ଡୋଜର ଲଗାଇ ମାରି ମାତା ମନ୍ଦିର ଭଙ୍ଗାଯାଇଥିଲା। ତେବେ ମନ୍ଦିର ଭଙ୍ଗାଯିବା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିବା ମନ୍ଦିର ଦେଖାରଖା କରୁଥିବା ରାମନାଥ ମିଶ୍ର କହିଛନ୍ତି। ୪୦୦ରୁ ୫୦୦୦ ସ୍କୋୟାର ୟାର୍ଡ ପରିମିତ ସ୍ଥାନରେ ଥିବା ମନ୍ଦିରର ଜାଗା ହଡ଼ପ କରିବା ପାଇଁ ବହୁ ବର୍ଷରୁ ସରକାର ଚାହିଁ ବସିଥିଲେ ବୋଲି ରାମନାଥ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ମନ୍ଦିର ଭଙ୍ଗାଯିବା ନେଇ ଏହାକୁ ଚଳାଉଥିବା ମାଦ୍ରାସୀ ହିନ୍ଦୁ ସମ୍ପ୍ରଦାୟକୁ ଅବଗତ କରାଯାଇଥିବା ସ୍ଥାନୀୟ ପୋଲିସ କହିଛି।

Share