Categories: ଜାତୀୟ

ମାଙ୍କଡ଼ ଅନ୍ତେଷ୍ଟିରେ ଯୋଗଦେଲେ ଦେଢ଼ ହଜାର ଲୋକ

ଭୋପାଳ,୧୧।୧: କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏକ ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ଦେଢ଼ ହଜାର ଲୋକ ସାମିଲ ହେବା ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଗତ ୨୯ ତାରିଖରେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଦାଲୁପୁରା ଗ୍ରାମରେ ଘଟିଛି।

ମାଙ୍କଡ଼ର ମୃତ୍ୟୁରେ ଦୁଃଖିତ ହୋଇ ଦାଲୁପୁରା ଗ୍ରାମବାସୀ ଅନ୍ତେଷ୍ଟିକ୍ରିୟା ଆୟୋଜନ କରିଥିଲେ। ଭିଡିଓରେ ଅନ୍ତିମ ସଂସ୍କାର ପାଇଁ ମାଙ୍କଡ଼ର ମୃତଦେହକୁ ସମ୍ମାନର ସହିତ ଶବଦାହ ସ୍ଥାନକୁ ନିଆଯାଉଥିବା ଦେଖିବାକୁ ମିଳୁଛି। ହରି ସିଂ ନାମକ ଯୁବକ ହିନ୍ଦୁ ରୀତିନିତିରେ ଲଣ୍ଡା ହୋଇଥିଲେ। ପ୍ରଭୁ ହନୁମାନଙ୍କ ରୂପ ଭାବେ ଦେଶରେ ବିଭିନ୍ନ ଭାଗରେ ମାଙ୍କଡ଼ଙ୍କୁ ପବିତ୍ର ବିବେଚନା କରାଯାଏ।

ଅନ୍ତିମ ସଂସ୍କାର ପରେ ଗ୍ରାମବାସୀ ଟଙ୍କା ଆାଦୟ କରି ଏକ ଭୋଜି ଆୟୋଜନ କରିଥିଲେ। ଏଥିଲାଗି କାର୍ଡ ଛପା ଯିବା ସହ ୧୫୦୦ ଗ୍ରାମବାସୀଙ୍କୁ ଆମନ୍ତ୍ରିତ କରାଯାଇଥିଲା। ଭିଡିଓରେ ଛୁଆ ଓ ମହିଳା ଲମ୍ବା ଧାଡ଼ିରେ ବସି ଖାଉଥିବା ବେଳେ ପୁରୁଷମାନେ ପରଷୁଥିବା ଦେଖିବାକୁ ମିଳିଛି। କୋଭିଡ୍‌ ଲାଗି ବଡ଼ ପରିମାଣରେ ଲୋକଙ୍କ ଏକତ୍ରିତ ହେବା ଉପରେ କଟକଣା ଜାରି କରାଯାଇଛି। ଏଣୁ ଗ୍ରାମବାସୀଙ୍କ ବିରୋଧରେ କୋଭିଡ୍‌ ପ୍ରୋଟୋକଲ ଭଙ୍ଗ କରିବା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗ୍ରାମବାସୀ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଲୁଚି ଯାଇଛନ୍ତି।

Share