Categories: ଫୁରସତ

ସ୍ମୃତିରେ ୨୦୧୯: ଅନନ୍ୟା

ଶେଷପାଦରେ ଉପନୀତ ୨୦୧୯। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ…

ଚର୍ଚ୍ଚାରେ ଅନୁପ୍ରିୟା: ମାଲକାନଗିରିର ଅନୁପ୍ରିୟା ଲାକ୍ରା ଏବର୍ଷ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ରାଜ୍ୟର ପ୍ରଥମ ଆଦିବାସୀ ମହିଳା ପାଇଲଟ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଇଞ୍ଜିନିୟରିଂ ପଢ଼ିବା ସମୟରେ ପାଇଲଟ୍‌ ହେବାର ନିଶା ତାଙ୍କୁ ଘାରିଥିଲା। ତେଣୁ ସେ ଇଞ୍ଜିନିୟରିଂ ପଢ଼ା ଛାଡ଼ି ଆଭିଏସନ୍‌ ଏକାଡେମୀରେ ନାମ ଲେଖାଇଥିଲେ।
ସାହସୀ ଆରୋହୀ:ବମ୍ବେର ବୋରିବଲୀରେ ଜନ୍ମିତା ଆରୋହୀ ପଣ୍ଡିତ ଚଳିତବର୍ଷ ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍‌ ମହାସାଗର ଉପରେ ଏକାକୀ ବିମାନ ଉଡ଼ାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ମହିଳାମାନଙ୍କୁ ପାଇଲଟ୍‌ ହେବାକୁ ଉତ୍ସାହିତ କରିବା ପାଇଁ ସେ ଏକ ମହିଳା ପାଇଲଟ୍‌ ଟିମ୍‌ ଗଠନ କରିଛନ୍ତି ଏବଂ ତାହାର ନାମ ରଖିଛନ୍ତି ‘ମାହି’।
ରକେଟ୍‌ ଓମେନ ରିତୁ:ରିତୁ କାରିଧାଲ୍‌। ବର୍ତ୍ତମାନ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରେ କାର୍ଯ୍ୟରତ । ଇସ୍ରୋର ମଙ୍ଗଳ ଗ୍ରହ ଅଭିଯାନର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ ଭାବରେ ତାଙ୍କୁ ବିବେଚନା କରାଯାଉଛି। କେବଳ ସେତିକି ନୁହେଁ, ତାଙ୍କୁ ଏବେ ‘ରକେଟ୍‌ ଓମେନ’ ଭାବରେ ସମ୍ବୋଧନ କରାଯାଉଛି।
ଗ୍ରେଟା ଥନବର୍ଗ: ଲୋକପ୍ରିୟ ଟାଇମ୍‌ ମାଗାଜିନ୍‌ ତରଫରୁ ହୋଇଥିବା ୨୦୧୯ ପର୍ସନ ଅପ୍‌ ଦି ଇୟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସ୍ବିଡେନ୍‌ର ୧୬ ବର୍ଷୀୟ ଯୁବତୀ ଗ୍ରେଟା ଥନ୍‌ବର୍ଗ। ସମଗ୍ର ବିଶ୍ୱରେ ଅନ୍ୟତମ ଚିନ୍ତାର କାରଣ ପାଲଟିଥିବା ପରିବେଶ ପ୍ରଦୂଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟିକରି ସେ ଚର୍ଚ୍ଚିତା ହୋଇଛନ୍ତି।
ଏଲ୍‌ବ୍ରୁସ୍‌ ଶୃଙ୍ଗ ଆରୋହଣ କଲେ ଲିପିକା:ଓଡ଼ିଆ ଝିଅ ଲିପିକା ସେଠ୍‌ ତାଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଚଢ଼ିବାରେ ସେ ସଫଳ ହୋଇଛନ୍ତି।
ଆମେରିକା ରାଷ୍ଟ୍ରପତି ଦୌଡ଼ରେ ଭାରତୀୟ ମହିଳା: ଆମେରିକା ରାଷ୍ଟ୍ରପତି ଦୌଡ଼ରେ ପ୍ରଥମଥର ପାଇଁ ଜଣେ ପ୍ରବାସୀ ଭାରତୀୟ ଭାବେ ମହିଳା ତୁଳସୀ ଗାବାର୍ଡ ନିଜ ନାମକୁ ସାମିଲ କରିଛନ୍ତି। ୩୭ ବର୍ଷ ବୟସ୍କା ଏହି ମହିଳା ହାଓ୍ବାଇରୁ ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ୪ ଥର ଆମେରିକା କଂଗ୍ରେସକୁ ନିର୍ବାଚିତ ହୋଇସାରିଛନ୍ତି। ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ଚ୍ୟାଲେଞ୍ଜ ଦେବେ।
ବୟସ୍କା ମହିଳା: ବିଶ୍ୱର ସବୁଠୁ ବୟସ୍କା ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ଜାପାନର କାନେ ଟାନାଜି। ୧୯୦୩ରେ ଜନ୍ମିତା ୧୧୬ ବର୍ଷ ବୟସ୍କା ଏହି ମହିଳାଙ୍କ ନାମକୁ ଗିନିଜ୍‌ ଓ୍ବାଲର୍‌ଡ୍‌ ରେକର୍ଡରେ ସାମିଲ କରାଯାଇଛି। ୧୯୨୨ରେ ହାଇଡିଓ ତାନାଜିଙ୍କୁ ସେ ବିବାହ କରିଥିଲେ। ତାନାଜି ପ୍ରତିଦିନ ଭୋର ସମୟରେ ଶଯ୍ୟା ତ୍ୟାଗକରି ଗଣିତ କଷିବାକୁ ଭଲ ପାଆନ୍ତି।
ରାଜସ୍ଥାନ ଝିଅଙ୍କୁ ଚେଞ୍ଜ ମେକର ଆଓ୍ବାର୍ଡ:ସମାଜରେ ପରିବର୍ତ୍ତନ ଆଣି ଅନ୍ୟମାନଙ୍କ ପ୍ରେରଣା ସାଜିଥିବା ରାଜସ୍ଥାନର ଝିଅ ପାୟଲ୍‌ ଜାଙ୍ଗିଦ୍‌ଙ୍କୁ ସମ୍ମାନଜନକ ଚେଞ୍ଜ ମେକର ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ପାୟଲ୍‌ ନିଜ ପରିବାରରୁ ହିଁ ପ୍ରଥମେ ପରିବର୍ତ୍ତନ ଲଢ଼େଇ ଆରମ୍ଭ କରିଥିଲେ। ତାଙ୍କ ପରିବାର ଲୋକେ ଅତି କମ୍‌ ବୟସରେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏହାର ବିରୋଧକରି ଏତେ କମ୍‌ ବୟସରେ ବିବାହ କରିବେ ନାହିଁ ବୋଲି ସେ ମନା କରିଦେଇଥିଲେ।
ଶ୍ରଦ୍ଧାଞ୍ଜଳିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର: ୨୦୧୮ମସିହା ନିମନ୍ତେ ଘୋଷିତ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ। ତାଙ୍କ ଅନୁବାଦିତ ଉପନ୍ୟାସ ‘ଶ୍ରୀମୟୀ ମା’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ରାମକୃଷ୍ଣ ପରମହଂସ ଓ ସାରଦା ଦେବୀଙ୍କ ଜୀବନ କାହାଣୀକୁ ନେଇ ରଚିତ ମୂଳ ପୁସ୍ତକ ‘ଶ୍ରୀମୟୀ ମା’ ର ଏହା ଓଡ଼ିଆ ଅନୁବାଦ।
ଟ୍ରାଡିଶନାଲ ଟାଇଟଲ ଜିତିଲେ ଓଡ଼ିଆ ଝିଅ ଶିବାନୀ: ମୁମ୍ବାଇ ମହାନଗର ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେଇ ମିସ୍‌ ଟ୍ରାଡିଶନାଲ ବିଭାଗରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶିବାନୀ ମିଶ୍ର। ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଶିବାନୀ ଏହି ପ୍ରତିଯୋଗିତାରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଚଳଣି ଓ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରଦର୍ଶିତ କରି ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୁଜାତା ମହାପାତ୍ରଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର:୨୦୧୭ ମସିହା ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର। ସମଗ୍ର ଦେଶରୁ ମୋଟ୍‌ ୪୨ ଜଣ କଳାକାର ରାଷ୍ଟ୍ରପତିଙ୍କଠାରୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି। ସଙ୍ଗୀତ, ନୃତ୍ୟ, ମଞ୍ଚନାଟକ, ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଆଦିବାସୀ ସଙ୍ଗୀତ ଓ ନୃତ୍ୟ ଆଦି କ୍ଷେତ୍ରକୁ ପ୍ରତିଭାବାନ୍‌ କଳାକାରମାନେ ୨୦୧୭ ମସିହା ପାଇଁ ଏହି ପୁରସ୍କାର ପାଇଛନ୍ତି। ରାଜ୍ୟ ତଥା ଦେଶ ବାହାରର ବହୁ ଛାତ୍ରୀଛାତ୍ରଙ୍କୁ ଓଡ଼ିଶୀନୃତ୍ୟ ଶିକ୍ଷା ପ୍ରଦାନ ସହ ଓଡ଼ିଶୀରେ ଅଧିକରୁ ଅଧିକ ଗବେଷଣା କରିବା ଓ ଏହି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୁଜାତାଙ୍କୁ ଏକାଡେମୀ ସମ୍ମାନ ମିଳିଛି।
ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ବିଚାରପତି: ପାକିସ୍ତାନରେ ସୁମନ କୁମାରୀ ପ୍ରଥମ ହିନ୍ଦୁ ମହିଳା ବିଚାରପତି ହେବାର ସୌଭାଗ୍ୟଲାଭ କରିଛନ୍ତି। ସୁମନ ହେଉଛନ୍ତି ସିନ୍ଧ୍‌ ପ୍ରଦେଶର କୁମାର ସାହାବାଦ୍‌ କୋର୍ଟ ଅଞ୍ଚଳର ବାସିନ୍ଦା। ସେ ନିଜ ଜିଲାରେ ସିଭିଲ ଜଜ୍‌ ଭାବରେ ନିଯୁକ୍ତି ପାଇଛନ୍ତି। ସେ ହାଇଦ୍ରାବାଦ୍‌ରୁ ଏଲ୍‌ଏଲ୍‌ବି ପାସ୍‌ କରିବା ସହ ସାବିଷ୍ଟ ୟୁନିଭର୍ସିଟିରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ଏ ବର୍ଷର ସୁନ୍ଦରୀ

ମିସ୍‌ ଇଣ୍ଡିଆ : ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଟାଇଟଲ ବିଜୟିନୀ ହୋଇଛନ୍ତି ରାଜସ୍ଥାନ ସୁନ୍ଦରୀ ସୁମନ୍‌ ରାଓ। ଚଳିତବର୍ଷର ଏହି ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ୫୬ତମ ସଂସ୍କରଣର ରଙ୍ଗାରଙ୍ଗ ଫାଇନାଲ ବମ୍ବେସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ୨୦ ବର୍ଷ ବୟସ୍କା ଏହି ସୁନ୍ଦରୀ ବର୍ତ୍ତମାନ ନୂଆଦିଲ୍ଲୀରେ ବି.କମ୍‌ ପଢ଼ୁଛନ୍ତି। ମଡେଲିଂ ସହ ଜଡିତ ସୁମନ ଜଣେ କଥକ ନୃତ୍ୟାଙ୍ଗନା ଭାବରେ ବେଶ୍‌ ପରଚିତା।

ମିସ୍‌ ୟୁନିଭର୍ସ :ଦକ୍ଷିଣ ଆଫ୍ରିକାର ସୁନ୍ଦରୀ ତଥା ୨୬ବର୍ଷ ବୟସ୍କା ଜୋଜିବିନ୍‌ ଟୁନ୍‌ଜି ୨୦୧୯ର ମିସ୍‌ ୟୁନିଭର୍ସ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆମେରିକାର ଆଟ୍‌ଲାଣ୍ଟାସ୍ଥିତ ଟାଇଲର ପେରି ଷ୍ଟୁଡିଓରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁର୍ଟୋରିକୋ ସୁନ୍ଦରୀ ମାଡିସନ୍‌ ଆଣ୍ଡରସନ୍‌ ପ୍ରଥମ ରନର୍ସ ଅପ୍‌ ଓ ମେସ୍କିକୋ ସୁନ୍ଦରୀ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ। ଏହି ପ୍ରତିଯୋଗିତାରେ ମୋଟ୍‌ ୯୦ଟି ଦେଶର ସୁନ୍ଦରୀ ଅଂଶଗ୍ରହଣ କରିଥିବାବେଳେ ଭାରତର ଭାର୍ଟିକା ସିଂ ଟପ୍‌ ୨୦ ରୁ ବାଦ୍‌ ପଡ଼ିଥିଲେ।
ସୋନାଲିଙ୍କୁ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଟାଇଟଲ:ମିସେସ୍‌ ଇଣ୍ଡିଆ ୟୁନିଭର୍ସ-୨୦୧୯ ଗ୍ରାଣ୍ଡ ଫିନାଲେର ପ୍ଲାଟିନମ୍‌ ବର୍ଗରେ ପ୍ରବେଶ କରି ଚର୍ଚ୍ଚିତ ହୋଇଥିଲେ ଓଡ଼ିଆ ମହିଳା ସୋନାଲି ରାଜ୍‌ ମହାନ୍ତି। ଶେଷରେ ସେ ଏହି ଟାଇଟଲ ବିଜୟିନୀ ମଧ୍ୟ ହୋଇଛନ୍ତି। ତୁଷାର ଧଲିଓ୍ବାଲ୍‌ ଏବଂ ଅର୍ଚ୍ଚନା ତୋମାରଙ୍କ ଦ୍ୱାରା ମରିସସ୍‌ଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାର ଟାଲେଣ୍ଟ ରାଉଣ୍ଡରେ ସୋନାଲି ମିସେସ୍‌ ଟାଲେଣ୍ଟ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଭୁବନେଶ୍ୱର ଅଡିସନ୍‌ରେ ରାଜ୍ୟର ବିିଭିନ୍ନ ସହରରୁ ପ୍ରାୟ ୬୦ଜଣ ମହିଳା ଭାଗ ନେଇଥିଲେ। ଭୁବନେଶ୍ୱରର ଜଣେ ଉଦ୍ୟୋଗପତି ତଥା ବିୟୁଟିସିଆନ୍‌ ଭାବେ ୩୭ ବର୍ଷୀୟା ସୋନାଲି ପିଲାଟି ଦିନରୁ ବିିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ବେଶ୍‌ ଆଗ୍ରହୀ ଥିଲେ।

ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ :ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ଟାଇଟଲ ଜିତିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ। ଭୁବନେଶ୍ୱର ୟୁନିଟ୍‌ ୮ ଡିଏଭିରେ ଦଶମ ଶ୍ରେଣୀ ଛାତ୍ରୀ ଏହି ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଭାରତରୁ ୪୦ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଯାଇଥିବାବେଳେ ଲାବଣ୍ୟା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଥିଲେ।

ଟ୍ରିପଲ ତଲାକ୍‌ ବିଲ୍‌

ବହୁ ପ୍ରତୀକ୍ଷିତ ଟ୍ରିପଲ ତଲାକ୍‌ ବିଲ୍‌କୁ ପାର୍ଲାମେଣ୍ଟରେ ମଞ୍ଜୁରୀ ମିଳିଛି ।
ଏହି ଐତିହାସିକ ବିଲ୍‌ ପାସ୍‌ହେବା ଫଳରେ ଏଣିକି କୌଣସି ମୁସଲମାନ ପୁରୁଷ ତତ୍‌କ୍ଷଣାତ୍‌ ୩ ଥର ତଲାକ୍‌ କହି ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ନାହିଁ। ଯଦି କେହି ଦିଅନ୍ତି ତେବେ ତାହା ଅପରାଧର ପର୍ଯ୍ୟାୟଭୁକ୍ତ ହେବ। ନୂତନ ବିଲ୍‌ରେ ସମ୍ପୃକ୍ତ ସ୍ବାମୀଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି।

ପରପାରିରେ…

ପରପାରିରେ…

କଳ୍ପନା ଦାଶ :ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କର ପରଲୋକ ଘଟିଛି। ୫୨ ବର୍ଷୀୟା ଏହି ମହିଳା ପର୍ବତାରୋହୀ ଦ୍ୱିତୀୟ ଥର ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଶିଖରରୁ ଅବତରଣ କରୁଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ ଏଭରେଷ୍ଟ ବାଲ୍‌କୋନି ଏରିଆରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଓଡ଼ିଶାର ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା କଳ୍ପନା ଏଭରେଷ୍ଟ ସମେତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ଶୃଙ୍ଗ ସଫଳତାର ସହ ଚଢ଼ିଛନ୍ତି। ୨୦୦୮ରେ କଳ୍ପନା ନେପାଳ ବାଟ ଦେଇ ସଫଳତାର ସହ ଏଭରେଷ୍ଟ ଚଢ଼ି ଇତିହାସ ସୃଷ୍ଟି କରିଥିଲେ।
ବୈଦେହୀ ପଣ୍ଡା: ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସଂଗ୍ରାମୀ ବୈଦେହୀ ପଣ୍ଡା(୮୭)ଙ୍କର ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ୧୯୩୨ ମସିହାରେ ଭଦ୍ରକ ଜିଲା ଧାମନଗର ବ୍ଲକ ଲୁଣିଆକଟ ସାହି ଗାଁରେ ତାଙ୍କର ଜନ୍ମ। ବାପା ପ୍ରାଣବନ୍ଧୁ ପଣ୍ଡା ଓ ମାଆ ହାରାମଣି ଦେବୀଙ୍କ ସ୍ନେହ ଆଦରରେ ସେ ବଢ଼ିଥିଲେ। ସେତେବେଳେ ବାଲ୍ୟବିବାହ ପ୍ରଥା ଅନୁସାରେ ତାଙ୍କୁ ବିବାହ କରିବାକୁ ପଡ଼ିଥିଲା। ମାତ୍ର ୯ବର୍ଷ ବୟସରେ ଯେତେବେଳେ ସେ ତୃତୀୟ ଶ୍ରେଣୀରେ ପଢୁଥିଲେ ସେ ବିଧବା ହୋଇଥିଲେ। ବହୁ ଘାତ ପ୍ରତିଘାତ ଭିତରେ ତାଙ୍କର ବାକି ଜୀବନ କଟିଥିଲା।

Share