୧୫୩ ଗଣମାଧ୍ୟମ ସଂସ୍ଥାରେ ତାଲା

କାବୁଲ,୧୫।୯: ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ଟୋଲୋ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ବିଭିନ୍ନ ରେଡିଓ ଷ୍ଟେଶନ, ଛାପା ଗଣମାଧ୍ୟମ ଏବଂ ଟେଲିଭିଜନ ଚ୍ୟାନେଲ୍‌ ବନ୍ଦ ହୋଇଯାଇଛି।

ମୁଖ୍ୟତଃ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥତ୍କ ସମସ୍ୟା ଏବଂ ତାଲିବାନୀ କଟକଣା ଯୋଗୁ ଖବର ପରିବେଷଣ ବନ୍ଦ କରିଦେଉଛନ୍ତି। ଯଦି ଏହିସବୁ ସମସ୍ୟାର ସମାଧାନ ନ ହୁଏ, ତେବେ ଆହୁରି ଅନେକ ଗଣମଧ୍ୟମ ବନ୍ଦ ହୋଇଯିବେ ବୋଲି ଆଫଗାନିସ୍ତାନ ଫେଡେରେଶନ ଅଫ୍‌ ଜର୍ମାଲିଷ୍ଟସ୍‌ର ଉପମୁଖ୍ୟ ହୁଜାତୁଲ୍ଲା ମୁଜାଦାଦି କହିଛନ୍ତି। ୩ଟି ପ୍ରଦେଶରେ ଖବର ପରିବେଷଣ କରୁଥିବା ଏନିକାସ୍‌ ରେଡିଓ ଏବଂ ଟିଭି ବ୍ରଡ୍‌କାଷ୍ଟରକୁ କମ୍ପାନୀଗୁଡ଼ିକ ବିଜ୍ଞାପନ ନ ଦେବାରୁ ଏହା ବନ୍ଦ ହୋଇଯାଇଛି। ଏଥିସହିତ କେତେକ ଖବରଦାତାଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି।

Share