ରାମଲାଲାଙ୍କୁ ଦର୍ଶନ ପାଇଁ ଗଲେ ୧୫୪୦ ଶ୍ରଦ୍ଧାଳୁ

ବାଲେଶ୍ୱର,୧୭।୨(ମାନସ ବିଶ୍ୱାଳ): ବାଲେଶ୍ୱର ରେଳଷ୍ଟେଶନରୁ ଏକ ସ୍ବତନ୍ତ୍ର ରେଳ (ଆସ୍ଥା ଏକ୍ସପ୍ରେସ) ଯୋଗେ ୧୫୪୦ଜଣ ଶ୍ରଦ୍ଧାଳୁ ଶ୍ରୀରାମ ଲାଲାଙ୍କ ଦର୍ଶନ ନିମନ୍ତେ ଅଯୋଧ୍ୟା ଗସ୍ତ କରିଛନ୍ତି। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ରହି ସଫଳ ଯାତ୍ରା ନିମନ୍ତେ ଶୁଭେଚ୍ଛା ପ୍ରଦାନ କରିଥିଲେ।

ଭାଜପା ଜିଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ବାଲେଶ୍ୱର ଲୋକସଭା ସମେତ ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ରାମ ଭକ୍ତମାନଙ୍କୁ ନେଇ ବାହାରିଥିବା ଏହି ଟ୍ରେନ୍‌ ଶନିବାର ଭୋରରେ ଅଯୋଧ୍ୟାର ଦର୍ଶନନଗର ଷ୍ଟେଶନରେ ପହଞ୍ଚିବ।

ସେଠାରୁ ଯାଇ ଶ୍ରୀରାମ ଲାଲାଙ୍କ ଦର୍ଶନ ପରେ ଆସନ୍ତା ୧୮ତାରିଖ ପୂର୍ବାହ୍ନ ୮ଟାରେ ଉକ୍ତ ଷ୍ଟେଶନରୁ ବାହାରି ୧୯ତାରିଖ ରାତ୍ରି ୧ଟା ୫ମିନିଟ୍‌ରେ ବାଲେଶ୍ୱର ଷ୍ଟେଶନରେ ପହଞ୍ଚିବ। ଏହି ଟ୍ରେନ୍‌ ଛାଡ଼ିବା ବେଳେ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଜିଲା ଭାଜପା ଉପସଭାପତି ମମତା ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ ମହିଳା ନେତ୍ରୀ ସୁଷମାରାଣୀ ବିଶ୍ୱାଳ, ଜିଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଉପସଭାପତି ନାରାୟଣ ମହନ୍ତ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଅନୀଲ ମହାନ୍ତି, ପରମାନନ୍ଦ ମହାପାତ୍ର ଓ କ୍ରିଷ୍ଣା ସାହା ପ୍ରମୁଖ ଶୁଭ ମନାସିଥିଲେ।