ପିକଅପ୍‌ ଭ୍ୟାନରୁ ୧୫୫ ଶାଗୁଆନ କାଠ ପଟା ଜବତ

ହିଞ୍ଜିଳିକାଟୁ,୪।୮(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମ ନିକଟରୁ ବନବିଭାଗ ଭିଜିଲାନ୍ସ ଟିମ୍‌ ଶୁକ୍ରବାର ଚଢାଉ କରି ୨ଟି ପିକଅପ୍‌ ଭ୍ୟାନରୁ ୧୫୫ଟି ଶାଗୁଆନ କାଠ ପଟା ଜବତ କରିଛି । ଜବତ କାଠ ପଟାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଊଦ୍ଦର୍‌ବ ହେବ ବୋଲି ଜଣାପଡିଛି।

ବ୍ରହ୍ମପୁର ବନବିଭାଗ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଓ ମୋବାଇଲ ଟିମ୍‌ ମିଳିତ ଭାବେ ଚଢାଉ କରି ୨ଟି ପିକଅପ ଭ୍ୟାନରେ (ନଂ.ଏପି୩୦ଓ୍ବାଇ ୪୭୫୪ ଏବଂ ନଂ.ଓଆର ୦୭ଜେ ୭୦୬୬) ଚୋରା ଚାଲାଣ ହେଉଥିବା ଶାଗୁଆନ କାଠ ପଟାଗାଡ଼ିକୁ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମ ନିକଟରୁ ଜବତ କରିଥିଲେ। ହେଲେ ଉଭୟ ଗାଡି ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି।

ଜବତ ଗାଡ଼ି ଓ କାଠ ପଟାକୁ ହିଞ୍ଜିଳିକାଟୁ ବନପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ଚୋରା ଚାଲାଣ ଶାଗୁଆନ କାଠ ପଟା କେଉଁଠାରୁ କେଉଁଠିକୁ ଚାଲାଣ ହେଉଥିଲା ତାହା ଜଣାପଡିନାହିଁ । ଚଢ଼ାଉରେ ବ୍ରହ୍ମପୁର ବନବିଭାଗ ଭିଜିଲାନ୍ସ ବନପାଳ ଏନ ବାଲାଜୀ ରେଡ୍ଡୀ, ଫରେଷ୍ଟଗାର୍ଡ ଉମା ଚରଣ ପାତ୍ର, ବିନାୟକ ରଞ୍ଜନ କର, ମୋବାଇଲ ଟିମ ଫରେଷ୍ଟଗାର୍ଡ ଶାନ୍ତି ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।