Categories: ଜାତୀୟ

ବିହାର କଂଗ୍ରେସର ୧୬ ବିଧାୟକ ହାଇଦ୍ରାବାଦରେ

ହାଇଦ୍ରାବାଦ୍‌, ୬।୨: ବିହାରରେ ଭାଜପା ସହ ମିଶି ନୀତୀଶ କୁମାର ନୂଆ ସରକାର ଗଠନ କରିଥିବାବେଳେ ଚଳିତ ଫେବୃଆରୀ ୧୨ ତାରିଖରେ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ସେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ଏହି ଆସ୍ଥା ଭୋଟ ପୂର୍ବରୁ କଂଗ୍ରେସକୁ ଘାରିଛି ଘୋଡ଼ା ବେପାର ଭୟ। ଶାସନରେ ଥିବା ଭାଜପା କିମ୍ବା ଜନତା ଦଳ ୟୁନାଇଟେଡ(ଜେଡିୟୁ)ପକ୍ଷରୁ କଂଗ୍ରେସ ବିଧାୟକଙ୍କୁ ଘୋଡ଼ାବେପାର କରି କିଣିବାକୁ ପ୍ରୟାସ କରାଯିବା ନେଇ ଆତଙ୍କିତ ରହିଛି କଂଗ୍ରେସ। ଦଳର ୧୯ ବିଧାୟକଙ୍କ ମଧ୍ୟରୁ ୧୬ ବିଧାୟକଙ୍କୁ ଦିଲ୍ଲୀରୁ ଏକ ଚାର୍ଟାର୍ଡ ବିମାନ ଯୋଗେ ହାଇଦ୍ରାବାଦ ପଠାଇଛି କଂଗ୍ରେସ। ତେବେ ଦଳର ବାକି ୩ ବିଧାୟକ ସିଦ୍ଧାର୍ଥ ସୌରଭ, ଆବିଦୁର ରେହେମାନ ଓ ବିଜୟ ଶଙ୍କର ଦୁବେ ଖୁବଶୀଘ୍ର ହାଇଦ୍ରାବାଦରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି ବିହାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଖିଳେଶ ସିଂ। ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେଡ୍ଡୀ ଜିଲାର ଏକ ରିସୋର୍ଟରେ ଆସନ୍ତା ଫେବୃଆରୀ ୧୧ ପର୍ଯ୍ୟନ୍ତ ବିଧାୟକ ମାନେ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାଜପା ସହ ମିଶି ନୂଆ ସରକାରର ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ସହ ୧୨୮ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ଏକ ସମର୍ଥନ ପତ୍ର ବିହାର ରାଜ୍ୟପାଳଙ୍କୁ ଦେଇଥିଲେ।

Share