Categories: ଜାତୀୟ

ଜୁଲାଇରେ ୧୬ ଏନ୍‌କାଉଣ୍ଟର, ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ ଜାରି ରହିଛି। ଚଳିତ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୬ଥର ଅନ୍‌କାଉଣ୍ଟର୍‌ କରାଯାଇଛି। ଏଥିରେ ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଛି। ଗତ ୬ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ ହେବାରେ ଲାଗିଛନ୍ତି। ଜୁଲାଇ ମାସର ପ୍ରଥମ ୨୦ ଦିନରେ ମିଳିତ ସୁରକ୍ଷା କର୍ମୀଙ୍କ ପକ୍ଷରୁ ୧୦ଥର ଏନ୍‌କାଉଣ୍ଟର୍‌ କରାଯାଇଛି। ଏହି ସମୟରେ ୨୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣ ପାକିସ୍ତାନୀ ଥିଲେ ବୋଲି ଚିହ୍ନଟ କରାଯାଇଛି। ଚଳିତ ୨୦୨୧ ବର୍ଷରେ ଜାନୁୟାରୀଠାରୁ ଜୁଲାଇ ୧୫ ମଧ୍ୟରେ ୩୬ ଥର ଆତଙ୍କବାଦ ବିରୋଧୀ ଅପରେଶନ୍‌ କରାଯାଇଛି। ଏଥିରେ ୮୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସର୍ଚ୍ଚଅପରେଶନ୍‌ ସମୟରେ ୧୫ ଜଣ ଯବାନ ଶହୀଦ୍‌ ହୋଇଥିବାବେଳେ ୧୯ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୨୫ରେ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ତେବେ ଗତ ସପ୍ତାହରେ ନିୟନ୍ତ୍ରଣ ରେଖାଠରେ ୪ ଥର ଅନୁପ୍ରବେଶ ଉଦ୍ୟମ ହୋଇଛି। ଗୋଟିଏ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିବାବେଳେ ୩ଟି ସଫଳ ରହିଛି। ଏହାଦ୍ୱାରା ନିୟନ୍ତ୍ରଣ ରେଖା ବାଟେ ଦେଶକୁ ୨୦ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ଜୁଲାଇ ୧୫ ମଧ୍ୟରେ ୬୯ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଛନ୍ତି। ମୁଖ୍ୟତଃ ଶୋପିଆନ, କୁଲଗାମ୍‌ ଏବଂ ପୁଲଓ୍ବାମା ଜିଲାରୁ ସେମାନେ ସଂଗଠନରେ ଯୋଗ ଦେଇଛନ୍ତି। ୨୦୨୦ରେ ୧୭୪ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୪୩ ଥିଲା। ଗୋଇନ୍ଦା ରିପୋର୍ଟ ଅନୁସାରେ ସମ୍ପ୍ରତି ଜମ୍ମୁ-କଶ୍ମୀରରେ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୪୦ ଜଣ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି।

Share