ନୂଆଦିଲ୍ଲୀ,୧୪।୧୨(ପି.ଟି.): ୨୦୨୦ରୁ ଇତିମଧ୍ୟରେ ଦେଶରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ସାଇବର ଅପରାଧ ଘଟିଥିବା ରିପୋର୍ଟ ହୋଇଛି। ସେଥିରୁ ୩୨,୦୦୦ରୁ ଅଧିକ ଘଟଣାରେ ଏତଲା ହୋଇଥିବା ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ନ୍ୟାଶନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ ସମସ୍ତ ପ୍ରକାର ସାଇବର ଅପରାଧକୁ ରିପୋର୍ଟିଂ କରୁଛି ଓ ସେଗୁଡ଼ିକୁ ସ୍ବତଃ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ଜଣାଇ ଦିଆଯାଉଛି ବୋଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଜାଲିଆତି କାରବାରକୁ ରୋକାଯାଇପାରିଥିବା ମନ୍ତ୍ରୀ କହିଛନ୍ତି। ସାଇବର ଅପରାଧ ନେଇ ଅନ୍ଲାଇନରେ ଅଭିଯୋଗ କରିବା ଲାଗି ନିଃଶୁଳ୍କ ହେଲ୍ପଲାଇନ ନମ୍ବର ‘୧୯୩୦’ କାର୍ଯ୍ୟକାରୀ ହୋଇଛି।